Unknown

 

 

 

 

 

 

 

 

 

ଶଙ୍ଖୁଚୂଡ଼ ଦୈତ୍ୟ ବଧ

(ଗୀତିନାଟ୍ୟ)

ଗଣକବି ବୈଷ୍ଣବ ପାଣି

 

(ପ୍ରସ୍ତାବନା – ନଟୀର ଗୀତ ଗାଇ ପ୍ରବେଶ)

[କାହ୍ନୁ ତୁ ଆମ୍ଭର – ବୃତ୍ତେ]

 

ଆହା କି ଆନନ୍ଦେ ନାଚଇ ଧରା । ଏ ନବ ବସନ୍ତେ ବିକସି ତୋରା ଏ ।ପଦ। ନବ ମୁକୁଳିତ ଚୂତ ବକୁଳରେ । ନାଚଇ କୋକିଳ ଗାଇ ପଞ୍ଚମରେ । ମଧୁପାନେ ମତ୍ତ ପୁଣି ମଧୁବ୍ରତ ନାଚେ କୁଞ୍ଜେ କୁଞ୍ଜେ ପ୍ରେମେ ଅଧୀରା ।୧। ନୀଳନିଚୋଳରେ ନିଏ ଅଙ୍ଗ ଢାଙ୍କି । ନାଚୁଛି ପ୍ରକୃତି ସୁନ୍ଦରୀ ଗୋ ସଖି । ସନ ସନ ସନ ବହନ୍ତେ ପବନ ନାଚେ ଘନ ଘନ ବିମଳ ନୀରା ଏ ।୨। କାମୀକାମିନୀଙ୍କ ହୃଦୟ ଉଲ୍ଲାସେ । ନାଚେ ମୁହୁର୍ମୁହୁ ବସନ୍ତ ପରଶେ । ଫୁଟି ନାନାଫୁଲ ମହମହ ବାସେ । ବାଣ୍ଟଇ ସୁଗନ୍ଧ ଜଗତସାରା ଏ ।୩। ବସନ୍ତ ଡଗରା କୁମ୍ଭାଟିଆ ପକ୍ଷୀ । ବଜାଇ ନାଗରା ନାଚେ ପୁଚ୍ଛ ଟେକି-। କବି-ହୃଦଭାବ କେ ପାରିବ ଲେଖି ଧନ୍ୟ ମଧୁଋତୁ ଶୋକପାଶୋରା ଏ ।୪।

(ନଟର ପ୍ରବେଶ)

ନଟ

ଧନ୍ୟ ବରାନନେ ତବ କବିତାର ଛଟା

 

 

ନଥିଲେ କି ଏ ସୁଗୁଣ

 

 

ଭୁଲାଇଥାଆନ୍ତ ଏତେ ଦର୍ଶକଙ୍କ ମନ ।

 

 

ବସନ୍ତ ଯେମନ୍ତେ ବଶ କରିଛି ଜଗତ ,

 

 

ତହୁଁ ବଳି ତୁମ୍ଭର ସଙ୍ଗୀତ ।

ନଟୀ

ନାଥ ! ଏହାସବୁ ତୁମ୍ଭରି କରୁଣା ।

 

 

ତୁମ୍ଭେ କଳ୍ପଦ୍ରୁମ,

 

 

ମୁହିଁ ଦୀନାହୀନା ଆଶ୍ରିତା ଲତିକା

 

 

ଟେକି ରହେ ଲତାଶିର ସିନା ପାଦପ ବଳରେ ।

 

 

ଯାହା ଯାହା ଦେଇଛ ଶିଖାଇ

 

 

ଯାହା ଯାହା ଦେଇଛ ଦେଖାଇ

 

 

ସେହି ଧନଦାନେ ଦାସୀ କିଣିଛି ଏ ଦର୍ଶକଙ୍କ ଚିତ୍ତ ।

 

 

କହ ନାଥ ! ଅଦ୍ୟ ଏହି ରଙ୍ଗସ୍ଥଳେ

 

 

କେଉଁ ଅଭିନୟ ଦେଖାଇବ, ବଳାଇଛ ସାଧ ?

ନଟ

ସଙ୍ଗୀତପ୍ରବୀଣେ !

 

 

ମନେ ମନେ ଆସିଅଛି ପାଞ୍ଚି

 

 

ଦେଖାଇବା ଶଙ୍ଖଚୂଡ଼ ଦାନବର ବଧ

 

 

ତାହା ଉଦ୍ଧୃତ ହୋଇଛି ବ୍ରହ୍ମବୈବର୍ତ୍ତ ପୂରାଣୁ

 

 

ଦେଖ ଦ୍ୱିତୀୟ ଖଣ୍ଡରୁ ।

 

 

ଶୃଙ୍ଗାର ବୀର କରୁଣ ଆଦି ନବରସେ

 

 

ଗଢ଼ିଛି ସେ ନାଟକର ଅଙ୍ଗ ।

ନଟୀ

କହ ଗୁଣମଣି, ଶୁଣି ସ୍ଥିର ହେଉ ଚିତ୍ତ

 

 

ନାୟକ ନାୟିକା ଏହି ନାଟକେ କିଏ ସେ ?

 

 

ଯହିଁ ନାହିଁ ନାୟକ ନାକା

 

 

ନୁହେଁ ସେହି ନାଟକ ବା ନାଟ ।

 

 

ସଂକ୍ଷେପେ କହନ୍ତୁ ମୋତେ ଶଙ୍ଖଚୂଡ଼ ପୂର୍ବଜନ୍ମ କଥା ।

ନଟ

ପ୍ରିୟେ ! ଶୁଣ ତେବେ ଶଙ୍ଖଚୂଡ଼ ଦୈତ୍ୟଜନ୍ମ-ବାଣୀ ।

 

 

ସୁଦାମା ନାମେଣ ଥିଲା ଯେହୁ ଶ୍ରୀକୃଷ୍ଣଙ୍କ ସଖା

 

 

ରାସଗୋଲୋକ ମଣ୍ଡଳେ

 

 

ଦିନେ ରାଧାଙ୍କ ବିବାଦେ ବଳାବନ୍ତେ ଚିତ୍ତ

 

 

ଜାଣି ବୃଷଭାନୁଜେମା ତା’ର ରାକ୍ଷସ-ପ୍ରକୃତି

 

 

ଅଭିଶାପ ଦେଲେ ସୁଦାମାକୁ –

 

 

ବୋଇଲେ ରେ ଦୁଷ୍ଟ, ମୁହିଁ କୃଷ୍ଣ – ବିଳାସିନୀ;

 

 

ତୁହି ନୀଚ ଯେବେ ମୋ ସହିତ ବାଦେ ବଳାଇଲୁ ଚିତ୍ତ,

 

 

ଯାଅ ମୋର ଅଭିଶାପେ ଜନ୍ମହୁଅ ଭାର ମଣ୍ଡଳେ

 

 

ଧରି ଅସୁରର ଦେହ

 

 

ଶେଷେ ଦେବନ୍ୱେଷୀ ହୋଇ

 

 

ଶିବଶୂଳେ ମରି ମୁକ୍ତି ପାଅ ।

 

 

ରାଧାଶାପେ ସୁଦାମ ହୋଇଛି ଶଙ୍ଖଚୂଡ଼,

 

 

କୃଷ୍ଣମନ୍ତ୍ର ତା’ର ଉପାସନା

 

 

ମଙ୍ଗଳକବଚ କଣ୍ଠେ ସଦା କରଇ ଧାରଣ ।

 

 

ଏ ନାଟକେ ନାୟକ ଯେ ଶଙ୍ଖଚୂଡ଼,

 

 

ନାୟିକା ତୁଳସୀ ।

ନଟୀ

ନାଥ ! ନ ଜାଣଇ ଦାସୀ

 

 

ଫେଡ଼ି ଭାଷ, ସେ ତୁଳସୀ ପୂର୍ବେ ଥଲା କିଏ ?

କିମ୍ପା

ହେଳା ଶଙ୍ଖଚୂଡ଼ ରକ୍ଷ ମନୋହାରୀ ।

ନଟ

ପ୍ରିୟେ । ନିତ୍ୟସ୍ଥଳେ ଗୋଲକମଣ୍ଡଳେ

 

 

ଥଲା ସେ ତୁଳସୀ ଏକ ଗୋପୀ ।

 

 

ଦିନେ ଗୋପନେ ଶ୍ରୀକୃଷ୍ଣ ତୁଲେ ରମନ୍ତେ ରମଣୀ,

 

 

ରଧା ତାହା ଜାଣି

 

 

ସେହିକ୍ଷଣି ଶାପ ଦେଲେ ତାକୁ ।

 

 

ବୋଇଲେ ଲୋ ଦୁଷ୍ଟା

 

 

ହୁଅ ମର୍ତ୍ତେ ଜାତ ହୋଇ ଦାନବରମଣୀ,

 

 

ପୁଣି ଜାଣ ମାନବୀ ଶରୀରେ ।

 

 

ଜାଣି ତାହା ଚିନ୍ତାମଣି ବୋଧି ଗୋପିକାକୁ

 

 

କହିଲେ ଏତିକି –

 

 

ଚତୁର୍ଭୁଜ ନାରାୟଣ ଜାତ ମୋର ଅଂଶେ

 

 

ମର୍ତ୍ତ୍ୟପୁରେ ଭାରତ ଭୂମିରେ

 

 

ତପକରି ଲଭ ତୁ ତାହାଙ୍କୁ ।

 

 

ତହୁଁ ସେ ଗୋପିନୀ ଜାତ ହୋଇଛି ଭାରତେ

 

 

ଧର୍ମ୍ମଧ୍ୱଜ ରାଜପତ୍ନୀ ମାଧବୀ ଉଦରେ ।

 

 

ପ୍ରବେଶନ୍ତେ ସପତ ବରଷ ସେ ନାରୀକୁ

 

 

ତପ କଲା ବଦରିକାଶ୍ରମେ ଘୋର ବନେ ।

 

 

ଚାଲ, ବେଳ ହେଉଛି ବିଳମ୍ବ ।

 

 

ଚାରୁଚନ୍ଦ୍ରାନନେ,

 

 

ଅଭିନୟ କରିବା ଆରମ୍ଭ ।

ନଟୀ

ହଉ ଚାଲ ତେବେ, ତେଣେ

 

 

ଅଭିନେତୃଗଣେ ସଜାଇବା କ୍ଷଣେ ନ କରି ଉଛୁର ।

 

 

(ଉଭୟଙ୍କର ପ୍ରସ୍ଥାନ)

•••

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

[ବଦରିକାଶ୍ରମ ବନ]

 

(ଭଗ୍ନକୁଟୀରେ ତୁଳସୀ ଏକାକିନୀ ବସି କରଯୋଡ଼ି)

ଗୀତ

[କେତେବେଳେ ଯାଇଁ ସେ ରାଜବାଳାକୁ – ବୃତ୍ତେ]

 

ଅଗତିରେ ଗତି ପତିତପାବନ ବନଜବଦନ ହରି ହେ । ହରିପତି ପତି ପତିର ସମ୍ପତ୍ତି ନୀଳକନ୍ଦରବିହାରୀ ହେ ।ପଦ। ବିହରିଲ ପିତୃସତ୍ୟ ପାଳି ବନେ । ହେ ବାନରପ୍ରିୟ ଭାଇ-ଭାର୍ଯ୍ୟା ସନେ । ସନକାଦି ସପ୍ତଋଷି ପୂଜ୍ୟ ବନ ତବ ପଦୁଁ ଅବତରି ହେ ।୧। ତାରିଲେ ଭାରତ ଭୂବନ ଜନରେ । ଜନାର୍ଦ୍ଦନ ଏହା ଶୁଣିଛି କାନରେ । ନର ନାଗ ସୁର କିନ୍ନରୀ କିନ୍ନର ଉଦ୍ଧରିଲେ ନାମ ଧରି ହେ ।୨। ଧରିଲି ମୁଁ ମୁକ୍ତିଲାଭେ ସେ ଚରଣ । ରଣରଙ୍କା କଷ୍ଟ କର ନିବାରଣ । ବାରଣେ ଉଦ୍ଧରି ନକ୍ରେ ଅଛ ମାରି ନ ଶୁଣ ବଇ ଗୁହାରି ହେ ।୩।

ତୁଳସୀ

ହେ ନାରାୟଣ, ନରକନାଶନ ପୀତବସନ

 

 

ହେ ବନମାଳି !

 

 

ସତୀମାନଙ୍କର ରକ୍ଷ, ଦେଇ ପଦରଜ

 

 

ପତିଲାଭେ ପଦସେବା କରିବାକୁ ଇଛି

 

 

ସାତବର୍ଷ କଲି ଘୋର ତପ ଆଚରଣ

 

 

ଏହି ବଦରିକା ବନେ ।

 

 

ହେ ବାଞ୍ଛାକଳ୍ପତରୁ !

 

 

ତେବେ ସୁଦ୍ଧା ନ ପୂରିଲା ଅଧିନାର ବାଞ୍ଛା ।

 

 

ଏବେ ଅନାହାରେ ଅନିଦ୍ରାରେ

 

 

ହୋଇ ଊର୍ଦ୍ଧ୍ୱବାହୁ ଏକପଦ

 

 

ଡାକୁଅଛି ଦାସୀ

 

 

ଶୀତକାଳେ ପଶି ଜଳେ

 

 

ଗ୍ରୀଷ୍ମକାଳେ ପଞ୍ଚଅଗ୍ନି ମଧ୍ୟେ

 

 

ବରଷାରେ ସହି ବର୍ଷାଧାର

 

 

ବହୁକାଳ କରିଲି ହରଣ;

 

 

ମୋର ହୁଅ ପତି ହେ ଶ୍ରୀପତି ଭକତପରାଣ

 

 

ନାରାୟଣ ! ନାରାୟଣ ! ନାରାୟଣ !

(ବ୍ରହ୍ମାଙ୍କର ପ୍ରବେଶ)

ବ୍ରହ୍ମା

ଗୋ ତୁଳସୀ ଧର୍ମଧ୍ୱଜଜେମା !

 

 

ନେତ୍ର ଫେଡ଼ି ବାରେ ଚାହିଁ ମୋତେ,

 

 

ଚିହ୍ନ ଭଲକରି ମୁହିଁ ଅଟେ ଲୋକପିତା ।

 

 

ଦେଖି ତବ ତପନିଷ୍ଠା ନ ପାରିଲି ସହି;

 

 

ତେଣୁ ଅଇଲି ମୁଁ ବରଦେବା ଆଶେ

 

 

ପରକାଶ କର ମନୋଭାବ ।

ତୁଳସୀ

ଅନ୍ତର୍ଯ୍ୟାମି !

 

 

ନ ଜାଣୁ କି ମୋ ଅନ୍ତର କଥା,

 

 

ପଚାରୁ ଛଳନାମୟ ଛଳେ ଏ ଦାସୀକି

 

 

ଥିଲି ମୁହିଁ ଗୋଲୋକେ ଗୋପିକା

 

 

ଏବେ ରାଧାଶାପେ ଜନମି ଭୂତଳେ

 

 

ହୋଇ ଜାତିସ୍ମର ମୁହିଁ ପାଉଛି କଷଣ ।

 

 

ଶାପ ଦେବା ଦେଖି ନାରାୟଣ

 

 

ସେହିକାଳେ କହିଥିଲେ ମୋତେ –

 

 

ଭାରତେ ଜନମି ଚତୁର୍ଭୁଜ ନାରାୟଣେ

 

 

ଲଭ ସତୀ ତୁହି ପରିରୂପେ ।

 

 

ବେଦବର ! ଅବଧି ନ ପୂରେ କିପାଁ ଦାସୀ ମନର ବାସନା ?

ବ୍ରହ୍ମା

ସତି ! ଯା ବୋଇଲୁ ଅଟଇ ସେ ସତ୍ୟ;

 

 

ରେ ମାନିନି ! ମାନ ଥରେ ବିଧିର ବଚନ

 

 

କୃଷ୍ଣ-ଅଂଶେ ଜାତ ଶଙ୍ଖଚୂଡ଼,

 

 

ପୂର୍ବେ କୃଷ୍ଣପାଶେ ସଖାଭାବେ ଥିଲା ସେ ଗୋଲାକେ

 

 

ରାଧାଶାପେ ଜନ୍ମିଛି ଭାରତେ ଶଙ୍ଖଚୂଡ଼ ନାମ ବହି

 

 

ମହାବଳୀ ଦାନବ ବଂଶରେ

 

 

ଏହି ବନେ ନିକଟେ ପାଇବୁ ତା’ର ଭେଟ ।

 

 

ସ୍ୱାମୀଭାବେ ରେ ବରବରନା ବର ସେ ଦୈତ୍ୟକୁ ।

 

 

ଗୋଲୋକରେ ନିରେଖି ସେ ତୋର ରୂପଶୋଭା

 

 

ରାଧାଭୟେ ନ ପୂରିଛି ବାସନା ତାହାର ।

 

 

ରୂପେ ଗୁଣେ ଯୋଗ୍ୟ ସେହି ତୋର,

 

 

ଉଭୟ କାମନା ପୂର୍ଣ୍ଣ କର ଏହିଠାବେ ।

 

ଗୀତ

[କହ କହ ରାମା କାହାର ତୁ ବାମା – ବୃତ୍ତେ]

 

ଘେନ ଘେନ ରାଧା ଷୋଡ଼ଶ ଅକ୍ଷର ମନ୍ତ୍ର ଧର୍ମଧ୍ୱଜସୁତା ଗୋ । ଶ୍ରୀରାଧା କବଚ ସ୍ତବ ପୂଜାବିଧି ସାଧି ନୁହନ୍ତି କେ ଭୀତା ଗୋ ।ପଦ। ତେବେ ଶରଧାରେ ତୁମ୍ଭରି, ବାଧା ଦେବନାହିଁ ରାଧିକା ସୁନ୍ଦରୀ, ମନେ ରଖିଥା ଏ କଥା ଗୋ ।୧। ପତିରୂପରେ ନାରାୟଣେ, ଲଭିବୁ ତାପରେ ଭାବନା ଭାମିନୀ ବୋଲାଇବୁ ଜଗଜ୍ଜିତା ଗୋ ।୨। ତୋର ନାମେ ଅଭିଶାପରେ, ଜନମିବୁ ମର୍ତ୍ତ୍ୟେ ତ୍ରିଦଶ ମଞ୍ଜରୀ ତରୁରୂପେ ଜନମାତା ଗୋ ।୩। ହେବୁ ସବୁ ସୁମନେ ସାର, ତୋର ପତ୍ର ବିନୁ ବିଷ୍ଣୁଙ୍କୁ ପୂଜିବ ଏମନ୍ତ କାହା କ୍ଷମତା ଗୋ ।୪। ସର୍ବ ରାଧାଦେବୀ ହୋଇବ, ବାଧ୍ୟ ହୋଇ ସାଧ୍ୟମତେ ରଖିବାରେ ସେବିବେ ବଇ କବିତା ଗୋ ।

ତୁଳସୀ

ପିତାମହ ! କହ ଏମନ୍ତ ଜପନ୍ତେ ରାଧାଭୟ ନ ଲାଗିବ ମୋତେ ?

ବ୍ରହ୍ମା

ମୋର କଥାରେ ରଖ ବିଶ୍ୱାସ ଧର୍ମଧ୍ୱଜସୁତେ ।

ତୁଳସୀ

ଗୋଲୋକେ ଶୃଙ୍ଗାରଭଙ୍ଗ ବିନୁ ରସେ ତୃପ୍ତ ନୋହେ ଚିତ୍ତ,

ବ୍ରହ୍ମା

ଚତୁର୍ଭୁଜ ନାରାୟଣେ ପତିରୂପେ ପାଇ ଶେଷେ ତା’ର ଗୋ ତୁରିତ ।

ତୁଳସୀ

ବିଧି ଦୟାନିଧି, କେତେଦିନେ ମନ୍ତ୍ର ହେବ ସିଦ୍ଧ ?

ବ୍ରହ୍ମା

ଦ୍ୱାଦଶ ବର୍ଷ ପର୍ଯ୍ୟନ୍ତ ବସି ଏହା ସାଧ । (ପ୍ରସ୍ଥାନ)

ତୁଳସୀ

(ସ୍ୱଗତ) ପୂର୍ବପରି ମନ କିପାଁ ମୋର ନରହେ ନିଶ୍ଚଳେ

 

 

ଜପନ୍ତେ ଏ ମନ୍ଥ

 

 

ବିରହ ବିକାର ଆସି ପରଶେ ଅଙ୍ଗକୁ;

 

 

ପୁରୁଷ ସଙ୍ଗକୁ ଇଚ୍ଛା ବଳେ ଅବିରତ ।

 

 

ଜାଣିଲି ମୁଁ ଏତେଦିନେ

 

 

ଶେଷ୍ଠ ଅଟେ ସଂସାରେ ନାରୀର ବ୍ୟସନ ।

ଗୀତ

[ବୀରବର ହର ମୋର – ବୃତ୍ତେ]

ଆରେ ଫୁଲଶର, କେହି ବଳିନାହିଁ ତୋତେ ଏ ସଂସାର

ପଥ ପଥରକୁ କରିପାରୁ ନୀର ।ପଦ।

 

ହରି ନେଇ ହୃଦୟରୁ ଚେତା ଅମୃତେ କରାଉ ବିଷିପିତା

ଭଲ ମନ୍ଦ ମନ୍ଦ ଭଲ ସମ ତୋର ।୧।

 

ହେଉ ପଛେ ସେହୁ ଯେଡ଼େ ଲୋକ ମୋଡ଼ୁ ତା’ର ବିବେକର ବେକ

ତେଜସ୍ୱୀର ତେଜ କରୁ ଛାରଖାର ।୨।

 

ଭୂତ ଗ୍ରାସିଲା ପରାଏ ଅଙ୍ଗ ହୁଏ ତୋ ପରଶେ ରେ ଅନଙ୍ଗ,

ଗଲେ ଘୋର ଅନ୍ଧାରେ ନ ମାଡ଼େ ଡର ।୩।

 

ତୁହି ଯା’ର ହେଉ ପ୍ରତିକୂଳ ପିତା ମାତା ଜ୍ଞାତି କୁଳଶୀଳ

ତିଳକରେ କରାଉ ତାହାଙ୍କୁ ପର ।୪।

 

କୁସୁମକାଣ୍ଡକୁ ଧରି କରେ ଜୟ କଲୁ ସୃଷ୍ଟି ଦଣ୍ଡକରେ

ପ୍ରାଣ ରଖନ୍ତୁକି ଥିଲେ ଲୁହାତୀର ।୫।

 

ଅଙ୍ଗହୀନ ହୋଇ ଅଙ୍ଗେ ପଶୁ ଯୁବାଯୁବତୀଙ୍କ ଜୀବ ଶୋଷୁ

ବଇ କହି ବସୁ ସମ କାରବାର ।୬।

(ବୀରବେଶେ ଶଙ୍ଖଚୂଡ଼ର ପ୍ରବେଶ)

ଶଙ୍ଖ

(ସ୍ୱଗତ) ଆହା କି ସୁରମ୍ୟ ଏ ବଦ୍ରିକାବନ

 

 

ଉଚ୍ଚ ଉଚ୍ଚ ତରୁଗୁଚ୍ଛ ବିରାଜିତ ଶଇଳ ଚୂଳରେ

 

 

ଗିରି ଉପତ୍ୟକାଦେଶୁ ଝରି ନିର୍ଝରଣୀ

 

 

କଳକଳ ନାଦେ ନଦୀ ସଙ୍ଗେ ଧାଏଁ ମିଶି ।

 

 

ଫଳଫୁଲେ ବୃକ୍ଷଲତା ଅବନତ ମୁଖେ

 

 

ଲୋଟେ ଧରାଦେବୀ ପରେ ଆନନ୍ଦ ଅନ୍ତରେ ।

 

 

ଜଣାଯାଏ ଜ୍ଞାନ ସାଧି ହରିଭକ୍ତେ ନତମସ୍ତକରେ,

 

 

କିବା ନମନ୍ତି ହରିଙ୍କି ।

 

 

ଶୁଣିଥିଲି ସତ୍ୟେ ନରସିଂହ

 

 

ଜନ୍ମି କୃଷ୍ଣବଲ୍ଳଭ ଭବନେ

 

 

ସୃଷ୍ଟି କରିଥିଲେ ଏଥି କିବା ଏ ଆନନ୍ଦବନ ।

 

 

ଏ ସ୍ଥାନ ତେଜି ଯିବାକୁ ମନ ହେଉନାହିଁ

 

 

ଶୁକ ପିକ ସାରିକା କାକଳୀ

 

 

ଶ୍ରବଣେ ବିରହତାପ ବଢ଼ଇ ଦ୍ୱିଗୁଣ ।

 

 

କଲି ଶତେବର୍ଷ ତପ ପୁଷ୍କର ତୀର୍ଥରେ

 

 

ମନୋରମା ନାରୀ ଲାଭ ଲୋଭେ;

 

 

ଶେଷେ ଧାତା ଦେଇଗଲେ ବର

 

 

ବୋଇଲେ ନିକଟେ

 

 

ଭେଟିବୁ ମହୀମହିଳା ମୁକୁଟ ହୀରକ

 

 

ତୋର ହୃଦୟତୋଷିଣୀ ।

 

 

ସେହୁ ଦିନୁ ତେଜି ସବୁ ପନ୍ଥା

 

 

ଲୋଡ଼ୁଅଛି ଯହିଁତହିଁ ବାଂଛିତ ରତନେ ।

 

 

କି ଆଶ୍ଚର୍ଯ୍ୟ !

 

 

କିଏ ଏ ସୁନ୍ଦରୀ ଅଛି ଏ କୁଟୀରେ ଏକାକିନୀ

 

 

ମୋତେ ଦେଖି ଲଜ୍ଜାଶୀଳା

 

 

ଚାନ୍ଦମୁଖ ଢାଙ୍କିଲା ବସନେ

 

 

ଟାଣିନେଲା ମନପ୍ରାଣ ମୋର ଇଙ୍ଗିତ ଭଙ୍ଗୀରେ ।

 

 

ପଚାରେ ନିକଟେ ତା’ର ଯାଇ,

 

 

ଚାରୁଶୀଳେ !

 

 

କହିବାକୁ ଅଛି କିଛି ମନରେ ବାସନା

 

 

ଦେବେ ମୋତେ ପ୍ରକୃତ ଉତ୍ତର ।

 

ଗୀତ

[ପ୍ରାଣସଙ୍ଗିନୀରେ ନେତ୍ରାନନ୍ଦପସରା-ବୃତ୍ତେ]

 

ଧରାମଣ୍ଡନା ଗୋ ମୋତେ ଭଣ୍ଡନା ତିଳେ । ଖଣ୍ଡବାଣୀ ଭାଷ ହେଳେ ।ପଦ। ନ ମଣ୍ଡ ଗଣ୍ଡେ ତୋ ପାଣି, ରେ ଗୁଣୀ ରତନମଣି, ଟାଣିନେ ମୋର ମନମୀନକୁ ବଳେ ।୧। ପ୍ରହାରି ଫୁଲକୋଦଣ୍ଡ, ଖଣ୍ଡ ଖଣ୍ଡ କରେ ପିଣ୍ଡ, ମାରଚଣ୍ଡାଳ ଦଣ୍ଡରୁ ତା’ର ଏକାଳେ ।୨। ରୁଣ୍ଡ କରି ସାର ସାର, କାନ୍ତିକି ସାବିତ୍ରୀବର, ବରବରନା ଗଢ଼ିଛି ତୋ ତନୁ ଢାଳେ ।୩। ଏଣୀନୟନା ଗୋ ଏଣୀ-ଜିଣା ଅଟେ ତୋ ଚାହାଣି, ଗତି ହାତୀକି ଯା କିଣି ନେଇଛି ଛଳେ ।୪। ବଇଷ୍ଣବର ରଚନା, ପୀନସ୍ତନା ଦିଅ ଚିହ୍ନା, କି ନାମ କାହା ଦୁହିତା ଗୋ ପ୍ରେମଶୀଳେ ।୫।

ତୁଳସୀ

ଏ କି ଅବିଚାର କଥା ଭାଷ ମହାମତି !

 

 

ବେଦେ ଅଛି ମନା

 

 

ବିଜନେ ନାରୀକି ଯେବେ ଭେଟିବ ପୁରୁଷ

 

 

ବଚନ ତାହାକୁ ।

 

 

ହେ ମହାତ୍ମା,

 

 

ଯେହୁ ଅଟଇ ଲମ୍ପଟ

 

 

ତାର ଥାଏ ନାହିଁ ଭଲ ମନ୍ଦ ଜ୍ଞାନ

 

 

ନ ମାନେ ବେଦମାର୍ଗର ନିୟମଟି ସେହି

 

 

ପରନାରୀ ରମଣରେ କରଇ କାମନା ।

 

 

କରୁଅଛି ମନା

 

 

ନିଜ କାର୍ଯ୍ୟେ କରନ୍ତୁ ଗମନ;

 

 

ମନ ନ ବଳାଅ ପାପକର୍ମେ ।

 

 

ଯଦି କହ ପ୍ରକୃତରେ ମନୋରମା କାମିନୀ ଅଟନ୍ତି;

 

 

କିନ୍ତୁ ଥାଏ ନାନା ମନ୍ଦଗୁଣ ତାଙ୍କରି ଦେହରେ

 

 

ଗୋଟି ଗୋଟି କରି ତାହା ଦେଉଛି ଚିହ୍ନାଇ;

 

 

ସେହି ଉଚିତ କି ଅନୁଚିତ ବୁଝ ରସରାଜ !

 

ଗୀତ

[ବ୍ରଜରମଣୀମଣି ହୀରା - ବୃତ୍ତେ]

 

ଅତି ଅବିଶ୍ୱାସୀ ନାରୀଜାତି ହେ ସୁମତି ! ଶୁଣ ସେମାନଙ୍କର ଗତି ରୀତି ।ପଦ। ହୃଦୟରେ ହଳାହଳଭରା । ମୁଖେ ମଧୁମିଶା ଭାଷା ତୋରା । ନିଜ କାର୍ଯ୍ୟ ସାଧିଥାନ୍ତି ନିରବଧି । ଉପପତି ଲୋଭେ ମାତି, ନିତି ନିତି ହେଳେ ତେଜନ୍ତି ପତି-ସମ୍ପତ୍ତି ।୧। ଯେ ରମଣେ ରମଣୀକି ତୋଷେ । ସଦା ରହେ ସେହି ତାହା ବଶେ । ନ ପୂରିଲେ ଆଶା ଛାଡ଼ନ୍ତି ସହସା ନିଜ କୁଳ ମୂଳ ଭୀତି, ଏହି ରୀତିପରେ କାହା ଆୟତ୍ତ ନୁହନ୍ତି ।୨। ଗୋପନେ ରଖନ୍ତି କଥାମାନ । କାମେ ମତ୍ତ ମନ ଘନଘନ । ବାହାରରେ ଲାଜ ଆବରଣ ବୋଝ ଅନ୍ତର କୁଟିଳ ଅତି, ଫାନ୍ଦ ପାତି ବଇ ବୋଲେ ଚାନ୍ଦକୁ ବାନ୍ଧନ୍ତି-।୩।

 

 

ହେ ପୁରୁଷସିଂହ !

 

 

ଯା କହିଲି, ନ ମଣ ଏ କଥା ମିଥ୍ୟା ତିଳେ

 

 

ହୋଇ ନାରୀ ଏତେ ଲଜ୍ଜ୍ୟାଶୀଳା

 

 

ନିର୍ଜ୍ଜନେ ପାଇ ପୁରୁଷ ତାହା ତେଜଇ କ୍ଷଣକେ ।

 

 

ଅଳପ ମୈଥୁନେ କାଳପଣା ନ ପୂରଇ;

 

 

ଅଭାବ ହେଲେ ସେ ଭାବ ରୋଷେ ପୋତେ ମୁଖ ।

 

 

ଜାଣ, ବିଳାସ ସମ୍ଭୋଗ ଦ୍ରବ୍ୟ ତେଜିପାରେ ନାରୀ

 

 

କିନ୍ତୁ ନ ତେଜେ କଦାପି ରସଯୁକ୍ତ ପିଣ୍ଡକୁ

 

 

ରତିଦାତା ଅତି ପ୍ରିୟ ରମଣୀର ଅଟେ

 

 

କାନ୍ତ ମୈଥୁନେ ଅକ୍ଷମ ହେଲେ

 

 

ଶତ୍ରୁପରି ଦେଖେ ତାକୁ ନିଜର କାମିନୀ ।

 

 

ନାରୀର ଅସାଧ୍ୟ କର୍ମ ନାହିଁ କିଛି ଭବେ

 

 

ଦୋଷର ଖଣି ରମଣୀ ଅଟଇ ସଂସାରେ

 

 

କେବେହେଁ ନୁହଁନ୍ତି ସେହୁ ବିଶ୍ୱାସର ପାତ୍ର ।

 

 

ନାନାକଷ୍ଟ ସହି ପତି ଧନ ଉପାର୍ଜ୍ଜନେ

 

 

ରମଣୀର ମନକୁ ଯୋଗାଏ

 

 

ଜାଣ ସେ ନୁହେଁ ତାହାର ହେଲେ ମୈଥୁନ ଅଭାବ ।

 

 

କଣ୍ଟକ ଅଟଇ ଯୋଷା ତପସ୍ୟାପଥର

 

 

କରି ବ୍ରହ୍ମଚର୍ଯ୍ୟ ନାଶ

 

 

ଶୋଷଇ ଶୋଣିତ ଶୁକ୍ରସହ

 

 

ଇନ୍ଦ୍ରଜାଲପରି ଦେଖ ଯୁବତୀର ପ୍ରେମ ।

 

 

ବାହାର ସୁନ୍ଦର ଦେଖି ଭୁଲନ୍ତି ପୁରୁଷେ

 

 

କିନ୍ତୁ ତାଙ୍କ କୁତ୍ସିତ ଅନ୍ତର

 

 

ଭାବନ୍ତେ ସେ ଭାବ ଘୃଣା ମନେ ହେବ ଜାତ ।

 

 

ହେ ମହାତ୍ମା,

 

 

ଏପରି ରମଣୀ ଜାତି; ତାହାଙ୍କର ପ୍ରେମ

 

 

ଶୀଘ୍ର କର ବିସର୍ଜନ ।

ଶଙ୍ଖ

ଯା କହିଲ ବରାନନେ, ସତ୍ୟ ଯେବେ ତାହା

 

 

କିନ୍ତୁ ଅଛନ୍ତି ଜଗତେ ତିନିପ୍ରକାର ରମଣୀ

 

 

ବାସ୍ତବ ଓ ରଜୋରୂପା ତମୋରୂପା ନାରୀ

 

 

ଚିହ୍ନାଇ ଦେଉଛି ସେହିମାନଙ୍କୁ ବଚନେ ।

 

 

ରାଧା ପଦ୍ମା ପାର୍ବତୀ ସାବିତ୍ରୀ ଏହି ଚାରି

 

 

ସୃଷ୍ଟିକର୍ତ୍ତାଦ୍ୱାରା ସୃଷ୍ଟ ଏମାନେ ନୁଅନ୍ତି;

 

 

ଏ ଚାରିଙ୍କ ଅଂଶେ ଜାତ ଯେଉଁ ବାମାଗଣ,

 

 

ସେମାନଙ୍କ ନାମମାନ ଶୁଣ ଶ୍ରୁତି ଡେରି

 

 

ସ୍ୱାହା ସ୍ୱଧା ଶଚୀ ଛାୟାଦେବୀ

 

 

ଦିତି ଦେବହୂତି ମେନା ରୋହିଣୀ ଦକ୍ଷିଣା

 

 

କୁବେର ବରୁଣ ବାୟୁ ପତ୍ନୀ ତାରା ଗଙ୍ଗା

 

 

ତୁଳସୀ କୈଟଭୀ ଦମୟନ୍ତୀ ବେଦମତୀ

 

 

ମନ୍ଦୋଦରୀ ସୃଷ୍ଟି ଶ୍ରଦ୍ଧା କାନ୍ତି

 

 

ମନସା ମଙ୍ଗଳା ଆଦିକରି

 

 

ଏମାନେ ବାସ୍ତବରୂପା ବିଦିତା ତ୍ରିଲୋକେ

 

 

ପୂଜ୍ୟା ନର ନାଗ ସୁର ସମାଜରେ ।

 

 

ନିଜର ସତୀତ୍ୱ ପ୍ରତି ରଖିଥାନ୍ତି ଦୃଷ୍ଟି

 

 

କୁକ୍ଷଣେ କୁଜନେ କୁସ୍ଥାନରେ

 

 

ନ ବସନ୍ତି ନୀଚଜନ ମଧ୍ୟେ,

 

 

ଗୋପନେ ରହିଣ କାଳ କରନ୍ତି ହରଣ ।

 

 

ରାଜଭୟ ଶତ୍ରୁଭୟ ମନୁ କରି ତ୍ୟାଗ

 

 

ତମୋଗୁଣା ନାରୀ ଅଟେ ବେଶ୍ୟାରେ ଗଣନା ।

 

 

ଆବର କହୁଛି କୁଳଅଙ୍ଗନା ଲକ୍ଷଣ

 

 

କୁଳବଧୂ ଯେବେ ବନେ ନିର୍ଜନରେ ଥିବ

 

 

ଯେଠାରେ ସେଠାରେ ତାକୁ ଦେଖିବ ଯଦ୍ୟପି

 

 

ନ କରିବ ତା’ର ତୁଲେ କିଛି ସମ୍ଭାଷଣ ।

 

 

ପ୍ରକୃତ ବୈଦିକତତ୍ତ୍ୱ ଜଣାଅଛି ମୋତେ;

 

 

ଯେ କାରଣୁ ଅଇଲି ଏ ସ୍ଥାନେ

 

 

ଶୁଣ ତାହା କରୁଛି ପ୍ରକାଶ ।

 

ଗୀତ

[ମାନକର ଦାନ ଧନ -ବୃତ୍ତେ]

 

ଧାତା-ବଚନେ ଆସିଛି ସିତାଜିତାହାସି ରେ, କରୁଥିଲି ପୁଷ୍କର ତୀର୍ଥରେ ତପ ବସି ରେ ।ପଦ। ବର ଦେଇଗଲେ କହି ସେ ଅବନ୍ତୀବାସୀ ରେ । ବୀର ତୋର ମନୋରମା ହୋଇବ ତୁଳସୀ ରେ ।୧। ଗନ୍ଧର୍ବ ବିଧିରେ ବାରେ ବର ନୀଳକେଶୀ ରେ । ନ କର ଛଳ ଲଳନା ଶଶୀକଳାଭାଷି ରେ ।୨। ମୋ ପରିଚୟ ନିଚୟ ନିଅ ମଦାଳସୀ ରେ । ଶଙ୍ଖଚୂଡ଼ ନାମ ମମ ଅଟେ ଦନୁବଂଶୀ ରେ ।୩। ଥିଲି କୃଷ୍ଣ ସହଚର ଗୋଲୋକନିବାସୀ ରେ । ସେ ବେଳେ ସୁଦାମ ନାମ ଥିଲା ବଇ ଭାଷି ରେ ।୪।

ତୁଳସୀ

ଦୈତ୍ୟନାଥ !

 

 

କହ, କେଉଁ ପରି ମନେଅଛି ପୂର୍ବଜନ୍ମ କଥା ?

କୃଷ୍ଣ

ସହଚର ହୋଇ ଏ ଦଶା କିପାଇଁ ?

 

 

କି କାରଣେ ଧରିଅଛ ଦୈତ୍ୟ କଳେବର

 

 

ପରକାଶ କରି ମନୁ ସଂଶୟ ବିନାଶ ।

ଶଙ୍ଖ

ଶୁଣ ତାହା ଧର୍ମଧ୍ୱଜଜେମା,

 

 

ଅବିଶ୍ୱାସ ନ କରିବ କଥାରେ ମୋହର ।

 

 

ନିଜ କର୍ମଦୋଷ ରାଧାଶାପେ

 

 

ଜାତ ମୋର ଦାନବର କୁଳେ ।

 

 

ମୁହିଁ ଅଟେ ଜାତିସ୍ମର ଶୁଣ ଗୋ ସୁନ୍ଦରୀ,

 

 

କୃଷ୍ଣମନ୍ତ୍ର ଉପାସନା ମୋର

 

 

ଜପେ ଶ୍ରୀକୃଷ୍ଣକବଚ ନିତି ନିତି

 

 

କୃଷ୍ଣ ପାଦପଦ୍ମ ବିନୁ ଆନେ ନାହିଁ ଗତି;

 

 

ସେ ହେତୁ ଅଜ୍ଞାତ କିଛି ଥାଏ ନାହିଁ ମୋତେ

 

 

ରାଧାଶାପେ ତୁମ୍ଭ ଜାତିସ୍ମରା ଏ ଭାରତେ

 

 

ଧର୍ମଧ୍ୱଜ ବୀର୍ଯ୍ୟେ ମାଧବୀ ଉଦରେ ସଖୀ ଲଭିଅଛ ଜନ୍ମ ।

 

 

ସମଦଶାପନ୍ନ ହେତୁ ମିଳାଇଲେ ଧାତା

 

 

କର ନାହିଁ ହେଳା ଅଙ୍ଗଦାନ ଅଧିକାରେ ।

ତୁଳସୀ

ରକ୍ଷନାଥ !

 

 

ହାରିଲି ମୁଁ କଥାରେ ତୁମ୍ଭଙ୍କୁ

 

 

ପ୍ରକୃତରେ ଅଟ ତୁମ୍ଭେ ସର୍ବଗୁଣାଧାର;

 

 

କିନ୍ତୁ ଜାଣେ ଯେହୁ କାମୁକ ପୁରୁଷ

 

 

ଜପ ତପ ବିଫଳ ସର୍ବଦା ତା’ର ହୁଏ

 

 

ଅଛି ବେଦରେ ନିୟମ ।

 

 

କରିଣ ପରୀକ୍ଷା ନାରୀ ବରିବ ପତିକି

 

 

ଏହା ହେଲେ କାଳେ ନ ତୁଟିବ ସ୍ନେହ ।

 

 

ପୁଣି ଅଛି ଶାସ୍ତ୍ରେ

 

 

ଗୁଣହୀନ ବୃଦ୍ଧ କିବା କୁତ୍ସିତ ଅଜ୍ଞାନୀ

 

 

ମୂର୍ଖ ଅବା ବଧିର ଯେ ନର

 

 

ତମଗୁଣୀ ଅନ୍ଧ ରୋଗୀ ନୀଚମନା ଯେହୁ

 

 

ଏପରି ଲୋକକୁ କନ୍ୟା ନ ଦେବ କଦାପି ।

 

 

ଭ୍ରମବଶେ ଯଦି ଏହା ଘଟେ

 

 

ନିଶ୍ଚୟ ଦାନକର୍ତ୍ତାର ହୁଏ ନର୍କଗତି ।

 

 

ଧନଲୋଭେ ବିକେ ଯେ ଦୁହିତା

 

 

ବିଷ୍ଣୁଭକ୍ତେ ଯେ କନ୍ୟା ନ ଦିଏ

 

 

ତାର ଇହ - ପରକାଳ ସବୁ ଅକାରଣ;

 

 

ଅତଏବ କରିଣ ପରୀକ୍ଷା ମୁହିଁ ବରିବି ତୁମ୍ଭଙ୍କୁ ।

ଶଙ୍ଖ

ଯାହା ଇଚ୍ଛା କର, କର କରକରଦନେ,

 

 

ତହିଁ ନାହିଁ ମୋର ମନା ।

(ବ୍ରହ୍ମାଙ୍କର ପ୍ରବେଶ । ଉଭୟଙ୍କ ପ୍ରଣାମକରଣ)

ବ୍ରହ୍ମା

ପୂର୍ଣ୍ଣ ହେଉ ମନୋବାଞ୍ଛା ବେନିଜନଙ୍କର ।

 

 

ବତ୍ସ ଶଙ୍ଖଚୂଡ଼ ! କି କଥା କହୁଛୁ ଏହି ତୁଳସୀର ତୁଲେ ? କିପାଁ ବିବାହ ବିଳମ୍ୱ ?

 

ଗୀତ

(ରାମପ୍ରସାଦି)

 

ଛାଡ଼ ଛାଡ଼ ଶଙ୍ଖଚୂଡ଼ ବୃଥା ବଚନଚାତୁରୀ । ଏ ରମଣୀ –ଶିରୋମଣି କାମର କତୁରି ।ପଦ। ଧରିଣ ଏହାର ପାଣି, ତୋଷେ ବାସେ ନିଅ ଟାଣି, ଏ ତୋର ମନୋହାରିଣୀ ରାଣୀଯୋଗ୍ୟାନାରୀ ।୧। ବେନିଙ୍କର ଅଙ୍ଗ ସଙ୍ଗ, ମଣି କାଞ୍ଚନ ସଂଯୋଗ । ତୁ କାମେ ଆତୁର ସଦା ସେହି କାମାତୁରୀ ।୨। ସମାନ ବୃଦ୍ଧି ବୟସ, ରୂପ ଗୁଣ ହାସ ଭାଷ । ଏ ମିଳନେ ଉଠେ ହୃଦୁ ପ୍ରଣୟ –ଲହରୀ ।୩। ଦୁହେଁ କରି ମୁକ୍ତି ଲାଭ, ଅନ୍ତିମେ ଗୋଲୋକେ ଯିବ । ଚଳ ରାଜ୍ୟପାଳେ ବଇଷ୍ଣବର ଗୁହାରି ।୪।

 

 

ଶୁଣ ଶୁଣ ଧର୍ମଧ୍ୱଜବାଳା

 

 

କରନାହିଁ ହେଳା ପାଣିଗ୍ରହଣରେ ଲେଶ

କୃଷ୍ଣ

ଅଂଶେ ଜାତ ଶଙ୍ଖଚୂଡ଼

 

 

ଦେବାସୁରେ କରିଅଛି ଜୟ,

 

 

ପତିପଣେ ତାହାକୁ ତୁ ବରିଣ ହରଷେ

 

 

ମହାସୁଖେ କର ଦିନପାତ ।

 

 

ଅନ୍ତିମେ ଗୋଲୋକେ ଯିବ ପତି ସହିତରେ

 

 

ସେ ଠାବେ ଦେଖିଣ ନାରାୟଣେ ନିସ୍ତରିବ

 

 

ବଳୟଶୋଭିନି !

 

 

ମମ ବାକ୍ୟେ କାନ୍ତ ଗଳେ ଦିଅ ବରମାଳା ।

 

 

(ମାଳ ପିନ୍ଧାଇ ବ୍ରହ୍ମାଙ୍କ ପ୍ରସ୍ଥାନ)

ଶଙ୍ଖ

ପ୍ରିୟେ ! ଆସ ଯିବା ମଳୟ ଭୂଧର ଶିଖେ,

 

 

ସୁଖେ ବିହରିବା ତହିଁ

 

 

ବହୁଛି ବସନ୍ତ ବାତ କେଡ଼େ ମନୋରମ

 

 

କାବେରୀ ତଟିନୀ ଜଳକଣା ସଙ୍ଗେ ମିଳି

 

 

ଅଙ୍ଗେ ଲାଗି ଶୀତଳ କରିବ ପ୍ରାଣମନ;

 

 

ଚାଲ ଚନ୍ଦ୍ରାନନେ ସେ ସ୍ଥାନକୁ ।

ତୁଳସୀ

ଚାଲ ଜୀବଧନ,

 

 

ତୁମ୍ଭ ମତେ ଏକମତ ଦାସୀ । (ଉଭୟଙ୍କ ପ୍ରସ୍ଥାନ)

•••

 

[ଦ୍ୱିତୀୟ ଦୃଶ୍ୟ]

 

(ବନଦେବୀଙ୍କର ନୃତ୍ୟସହ ଗୀତ)

[ମନା କଲେ ଯେତେ ଭୁଲିବିକି ସତେ –ବୃତ୍ତେ]

 

 

 

ପ୍ରେମ ଉପବନେ ପ୍ରଣୟ କୁସୁମ କେମନ୍ତ ସଜରେ ଫୁଟିଲା ।

 

 

ଲାଗି ଘନଘନ ସୋହାଗ ପବନ ଚଉଦିଗେ ବାସ ଛୁଟିଲା ।ପଦ।

 

 

 

 

 

ବିରହ ତପନ ତେଜ ସହି ସହି ରହିଥିଲା ଶିର ମହୀକି ନୁଆଇଁ

 

 

ବଚନ ଆଦର ଶିଶିର ପରଶେ ତା ତପତ ତାପ ହଟିଲା ।୧।

 

 

 

 

 

କିଏ ଜାଣିଥିଲା ଏ ଯୋଗ ଘଟିବ ରସିକ ମଧୁପ ମଧୁକୁ ଲୁଟିବ

 

 

ତୁଟିବ ମାଳତୀ ମାନସବେଦନା ହୃଦାକାଶେ ଚାନ୍ଦ ଉଠିଲା ।୨।

 

 

 

 

 

ଧନ୍ୟ ଧନ୍ୟ ଆରେ ବିଶ୍ୱସ୍ରଷ୍ଟା ବିହି,କାହା ତୁଲେ କା’କୁ ଦେଉଛୁ ମିଳାଇ

 

 

ବଳାଇ ତୋ ଆଗୁ ପଳାଇ କେ ଯିବ ବଇଷ୍ଣବ ପଦ ରଟିଲା ।୩।

 

 

(ପ୍ରସ୍ଥାନ)

(ଚାକର – ଚାକରାଣୀଙ୍କ ପ୍ରବେଶ)

 

 

ଗୀତ

[କାହିଁ ଯାଇଥିଲୁ ଖଣ୍ଡିଆ ଖେଣ୍ଟା -ବୃତ୍ତେ]

 

ସ୍ତ୍ରୀ

କାହୁଁ ନୂଆବୋହୁ ଆଣିଛି ରଜା,

ପୁ

ସେଥିପାଇଁ ବାଜଇ ବାଜା ଦବପରା ଖିରି ଖେଚଡ଼ି ଭଜା ।ପଦ।

ସ୍ତ୍ରୀ

ଗିଳିବାକୁ କା ପେଟ କାହିଁ ରେ ଝୀଟ, ମାଲପୁଆ ମିଠେଇ

ପୁ

ନ ହବୁ ଖପା କହୁଛି ଅପା, କଥା ପଦେ ଯୁଟେଇ ।

ସ୍ତ୍ରୀ

ଅଛି କି କଥା ଏମନ୍ତେ ରାଗିଯିବି, ବେଳ ଥାଉଁଥାଉଁ ପରା ମାଗିଯିବି

ପୁ

ଦିହେଁ ଆଣି ଏକାଠି ନବା ଲୋ ବାଣ୍ଟି ତୋହରି ସିଙ୍ଗଡ଼ା ମୋହରି ଗଜା ।୧।

ସ୍ତ୍ରୀ

କେତେ ଢଙ୍ଗରେ କଥା କହୁଛି ଦନ୍ତା ଖତେଇ ହେଇ ମତେ

ପୁ

ତେବେ କନ୍ଦମୁଆଁରୁ ଦବୁ ଦୁଇଟା ଧରେଇ ଦୁଇ ହାତେ ।

ସ୍ତ୍ରୀ

ତତେ ଦେଖୁଛି ଧରମ ଗଲା ଛାଡ଼ି, ଶୁଣି ମରମ ଯାଉଛି ଜଳିପୋଡ଼ି

ପୁ

ଯଦି ଥାଆନ୍ତୁ କିଣି କଉଡ଼ି ଆଣି ଅନଉ ଅନଉ ଦିଅନ୍ତୁ ସଜା ।୨।

ସ୍ତ୍ରୀ

ମତେ ସତ କହ ତ ଦିହମିହନ୍ତ ନାହିଁ କି ମୋର ତହିଁ ?

ପୁ

ତାକୁ ଦେବ ତ ପର ନବ ତ ପର ଓଜର କାହିଁପାଇଁ ।

ସ୍ତ୍ରୀ

ଯାହା ଜିମା ଯେ ଦରବ ଥାଏ ରଖି, ଖଣ୍ଟ ନେଇଗଲେ ଛାଡ଼ିଦିଏଟି କି ?

ପୁ

ସାଧାରଣ ସମ୍ପତ୍ତି ସେଠି ଆପତ୍ତି ଖଟିବନାହିଁ ତୋ ମନକୁ ବୁଝ ।୩।

ସ୍ତ୍ରୀ

ସଦାବରତ ନୁହେ ଯାହାର ଯିଏ ଆଗୁ ଭାଗ ସରିଛି

ପୁ

କହୁନଉ ସେଇଆ ହେଇଁ ହାଇଁଆ କେତେ ଆଶା କରିଛି ।

ସ୍ତ୍ରୀ

ଆଜି ମନଗଡ଼ ପଡ଼ିଗଲା ମେଣ୍ଟି ଆଉ ଦିନେ ନ କହିବୁ ଏଠିସେଠି

ପୁ

କହେ ବଇ ହୀନ ଏ ବାଳୁଙ୍ଗା ମନ ସବୁବେଳେ ଖୋଜେ ଠାକୁରପୂଜା ।୪।

ସ୍ତ୍ରୀ

ଘରଦିଅଁ ଛାଡ଼ି ଯେ ପର ଦିଅଁ ପୂଜେ ସେ ମରଦ ଭିତରେ ଅଗାଡ଼ି

ପୁ

ତୁ ଆଉ କିଛି କହନା ମୋ ମିଜାଜ ଗଲାଣି ବିଗିଡ଼ି ।

ସ୍ତ୍ରୀ

ତୁ କ’ଣ ମନେକରିଥିଲୁ ଦୁନିଆଟାଯାକ ତୋର ?

ପୁ

ମୁଁ ତ ସମସ୍ତଙ୍କୁ ଆପଣାର କରେ, ମତେ କେହି ଦିନେ ନ କହନ୍ତି ମୋର ।

ସ୍ତ୍ରୀ

କହିବେ ନାହିଁ ତୁ ପରା ସବୁରି ଚୁଲିଗାତ

ପୁ

ହେ ଅପା, ଦୁଧ ଦୁହିଁ ଦୁହିଁ ବେଢ଼ା ପୂରିଗଲା ସେଥେରେ ପୁଣି ଗାଈ ଆଉରି ମାରୁଛି ନାତ ।

ସ୍ତ୍ରୀ

ତୁ କ’ଣ ତା ଗଉଡ଼ ଯେ ଦୁହିଁବାବେଳେ ଥୟ ହେଇ ଠିଆହେବ

ପୁ

ହଉ ମୋର ସେତିକି ହଉ, ଆ ତେଣେ ରଜାଘର ଖିଆପିଆ ସରିଯିବ ।

ସ୍ତ୍ରୀ

ବଣ୍ଟାବଣ୍ଟି ସରିଗଲା ତ କଣ୍ଟାକଣ୍ଟି ଥବ ପଡ଼ି

ପୁ

ତେବେ ଝଅଟ ଚାଆ ଲୋ ଖଣ୍ଡେ ଭଡ଼ାକରି ନେବା ଗାଡ଼ି ।

ସ୍ତ୍ରୀ

ଗାଡ଼ି ପଢ଼ି ଯିବୁ ଏ ମାଗି ଖାଇବାକୁ ଅଇଁଠା ?

ପୁ

କେତେ ଭଡ଼ା କି, ଜମା ପଡ଼ିବ ପଇସା ଦିଇଟା ।

 

 

(ଉଭୟର ପ୍ରସ୍ଥାନ)

•••

 

[ତୃତୀୟ ଦୃଶ୍ୟ]

(ଦେବଗିରିଶିଖ – ଦେବଗଣସହ ବ୍ରହ୍ମାଙ୍କ ପ୍ରବେଶ)

 

ଇନ୍ଦ୍ର

ବେଦପତେ ! ଏ ବିପତ୍ତିସାଗରୁ ଉଦ୍ଧର ଦେବଗଣେ,

 

 

ଶଙ୍ଖଚୂଡ଼ଭୟେ ସ୍ୱର୍ଗ ନ ପାରିଲୁ ରହି ।

 

 

ହେ ବିରଞ୍ଚି !

 

 

ବଞ୍ଚିବାର ଭରସା ନାହିଁ ଆଉ

 

 

ଆମ୍ଭ ଯଜ୍ଞଭାଗ ଦୈତ୍ୟ କରିଲା ହରଣ;

 

 

ରଣ କରି ତଡ଼ିଦେଲା ଅମରମଣ୍ଡଳୁ ।

 

 

ନ ପାଇଲୁଁ ହୋମଘୃତ ଲେଶ,

 

 

କହ କହ, କରିବୁଁ କି ବୁଦ୍ଧି ?

ବ୍ରହ୍ମା

ହେ ବାସବ ଆଦି ଦେବଗଣେ !

 

 

ମୋର ବଧ୍ୟ ନୁହେଁ ଶଙ୍ଖଚୂଡ଼

 

 

କୃଷ୍ଣଭକ୍ତ, କୃଷ୍ଣ – ଉପାସନା ନିତ୍ୟ ତାର,

 

 

ସଂହାର କରିବ ତାକୁ କାହାର ସାହସ ?

 

 

ଚାଲ ଯିବା ସଙ୍ଗ ହୋଇ ଶଙ୍କରଙ୍କ ପାଶେ କୈଳାସେ ।

 

 

ଜାଣିଥିବେ ଅବା ସେ ରକ୍ଷର ମୃତ୍ୟୁଭେଦ

 

 

ତ୍ରିପୁରାସୁରକୁ ରଣେ କରିଥିଲେ ଜୟ

 

 

ସେହୁ ତ୍ରିପୁରାରି

 

 

ଶୁଣିବେ ଗୁହାରି ଦେବଙ୍କର ।

ଇନ୍ଦ୍ର

ବିଧି ଦୟାନିଧି !

 

 

ଇଚ୍ଛା ତବ କର ଯାହା ଆସେ;

 

 

ତୁମ୍ଭ ଅନୁଗତ ଦେବଗଣ କାଳେ କାଳେ ।

 

 

(ସମସ୍ତଙ୍କର ପ୍ରସ୍ଥାନ)

(ଶିବ ଯୋଗାସନେ ଉପବିଷ୍ଟ; ପାର୍ଶ୍ୱେ ନନ୍ଦି ଭୃଙ୍ଗି ଦଣ୍ଡାୟମାନ)

ନନ୍ଦି

ବାବା, ଏଣେ ଆଖି ଫିଟାଇ ଚାହିଁଲୁ । ବ୍ରହ୍ମା, ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର, ଅଶ୍ୱିନୀକୁମାର, ନୈଋତ, ସୂର୍ଯ୍ୟ ଏମାନେ କାହିଁକି ତୋ ପାଖକୁ ଆସୁଛନ୍ତି ? କ’ଣ କେଉଁଠି ଯାଗ ହେବ ନା ଆଜି ବଦ୍ରିକା – ମେଳା !

ଶିବ

ନନ୍ଦି, ତୁନିହୋ; ସେମାନେ ଆସନ୍ତୁ । ବୃଷଭର ଖାଇବାପିଇବା କାମ ସାରିଛୁ ତ ? ଜଣାଯାଏ କୌଣସି ରଣ ଆୟୋଜନ ହେବ ।

(ସ୍ତବ ଗାତ କରି ବ୍ରହ୍ମାଦି ଦେବେ ପ୍ରବେଶ)

 

ଗୀତ

[ନମସ୍ତେ କରାରୂପା - ବୃତ୍ତେ]

 

ନଗେନ୍ଦ୍ରଜେମାଜୀବନ ଶିବ ଚନ୍ଦ୍ରଶେଖର । ହାଡ଼ମାଳବିମଣ୍ଡିତ ହର ହର ଶଙ୍କର ।ପଦ। ବ୍ୟାଘ୍ରଚର୍ମ କଟିତଟ, ବିହାର ବୃଷଭପୃଷ୍ଠ । ବିବୁଧବୃନ୍ଦଙ୍କ କଷ୍ଟ ନଷ୍ଟ କର ନିକର ।୧। ପନ୍ଦର ନୟନ ପଞ୍ଚମୁଖ, ଗିରିଜାନାୟକ । ବାମେ ପିନାକ ସାୟକ, ଆହା ! କି ଶୋଭାକର ।୨। ବିଭୂତିଭୂଷିତ ନାଗ, ହାର ବିରାଜିତ ଅଙ୍ଗ । ସାଜେ ଶିରେ ଜଟାଜୂଟ ସର୍ବଗୁଣ ଆକର ।୩ । ରକ୍ଷ ଶଙ୍ଖଚୂଡ଼େ ନାଶି ରକ୍ଷାକର ଦେବେ କାଶୀ । ବିପ୍ର ବଇଷ୍ଣବ ଭାଷି ସୁଦର୍ଶନ କିଙ୍କର ।୪।

ଶିବ

କି ନିମନ୍ତେ ଏତେ ମୋତେ ବଳାଅ ଅମରେ

 

 

ନ ପାରିବି ଦେଇ ସାହସ ତୁମ୍ଭଙ୍କୁ ଦୈତ୍ୟନାଶେ ।

 

 

ଚାଲ, ମେଳି ହୋଇ ଯିବା ବଇକୁଣ୍ଠପୁରୀ

 

 

ଦାନବହନ୍ତକାରୀକି କରିବା ଗୁହାରି ।

 

 

କଲେ ଇଚ୍ଛାମୟ ଇଚ୍ଛା

 

 

କ୍ଷଣକରେ ଲକ୍ଷ ଲକ୍ଷ ରକ୍ଷଭୟ ପଳାଇବ ହଟି;

 

 

ଶଙ୍ଖଚୂଡ଼ ଅଟେ କିବା ଛାର ।

ଇନ୍ଦ୍ର

ତ୍ରିଅମ୍ବକ । ଆଜ୍ଞା ତବ ନ ପାରିବୁ ମେଣ୍ଟି

 

 

ହରି ତୁଲେ କରି ପରାମର୍ଶ

 

 

ଯେଉଁପରି ଛଳେ ବଳେ କଉଶଳେ ସଂହାର ଦାନବେ

 

 

ଦେବେ ତବ ଶ୍ରୀପଦେ ଶରଣ

 

 

(ସମସ୍ତଙ୍କର ପ୍ରସ୍ଥାନ)

•••

 

[ଚତୁର୍ଥ ଦୃଶ୍ୟ]

(ବୈକୁଣ୍ଠ – ଲକ୍ଷ୍ମୀନାରାୟଣ ଏକାସନେ ଉପବେଶନ)

 

ଲକ୍ଷ୍ମୀ

ସତ କହ ଭାବଗ୍ରାହି ! କି ଭାବ ମନରେ

 

 

ଜାଣୁଅଛି ଦାସୀ

 

 

ହେ ବୈକୁଣ୍ଠବାସଟ ମନ ଅଛି ଆନଠାରେ

 

 

କେ କାହିଁ ଡାକୁଛି କେ ପାଶେ ଆସୁଛି

 

 

ଭଜି କେବା ତେଜୁଛି ଜୀବନ ?

 

 

ଜୀବଧନ !

 

 

ପ୍ରକୃତ କାରଣ ଭଣି ନାଶ ମୋ ସନ୍ଦେହ ।

ବିଷ୍ଣୁ

ଦଣ୍ଡେ ରହ ଜଳଜେମା !

 

 

ଫଳାଫଳ ଦେଖିବ ଆଗରେ;

 

 

ଆସି ହେଲେଣି ନିକଟେ

 

 

ବ୍ରହ୍ମା ଶିବ ବାସବ ସହିତ ଦେବଗଣେ

 

 

ଧାବନ୍ତି ସେ ନିଜ ଦୁଃଖ ଜଣାଇବା ଆଶେ;

 

 

କ୍ଷଣେ ରହି ସେ ଘଟଣା ଶୁଣ ସୁଲକ୍ଷଣି !

(ଶିବ ବ୍ରହ୍ମାଦି ଦେବେ ପ୍ରବେଶ)

 

 

ଗୀତ

[ଦୁତୀକର ଧରି ହରି - ବୃତ୍ତେ]

 

ହେ ବୈକୁଣ୍ଠପତି ରମାପତି ଏ ବିପତ୍ତି – ପାରାବାରୁ ପାରିକର ବିବୁଧ ସମ୍ପତ୍ତି । ଆହେ ବିପତିବାହନ । ଅତି ପତିତପାବନ ମଦନମୋହନ ।୧। ଦନୁଙ୍କ ସମ୍ପତ୍ତି ଶଙ୍ଖଚୂଡ଼ ରଣରଙ୍କା । ନିତିପ୍ରତି ଆମ୍ଭ ମନେ ଦିଅଇ ଆଶଙ୍କା । ହେ କଙ୍କାରି ଶଙ୍ଖାମରା । ବଙ୍କା ବଂଶୀପାଣି କେକୀପଙ୍ଖା ଶିରଧରା ।୨। ଅନ୍ତର ବେଦନା ଅନ୍ତର୍ଯ୍ୟାମୀ ନ ଜାଣ କି । ହନ୍ତସନ୍ତ କରୁଅଛ କିଙ୍କରେ କାହିଁକି । ଅଘାସୁର ଶିରଠୁଙ୍କା । ନୀରଜନୟନ ରାମା ରାଜନାରୀ ରଙ୍କା ।୩। ସମର କରି ଅମରମଣ୍ଡଳରୁ ଦୁଷ୍ଟ । ତଡ଼ିଲା ଦେବଙ୍କୁ ମାରେ ପଡ଼ି ଭୋଗୁଁ କଷ୍ଟ । ବଇଷ୍ଣବ ଇଷ୍ଟଦାତା । ତୋର ସୃଷ୍ଟି ରଖ ତୁହି ପୃଥିବୀକରତା ।୪।

ବିଷ୍ଣୁ

ସମ୍ବର ସମ୍ବର କ୍ରୋଧ ହେ ବିବୁଧବୃନ୍ଦ !

 

 

ହୃଦେ କଷ୍ଟ ଆଣ ନାହିଁ ଆଉ

 

 

ବତାଇ ଦେଉଛି ଦୈତ୍ୟବଧର ଉପାୟ

 

 

ହେ ପରମେଷ୍ଠି ! ରାଧା ଶାପେ ସୁଦାମ ହୋଇଲା ଶଙ୍ଖଚୂଡ଼

 

 

ଜନ୍ମ ଲଭିଣ ଭାରତେ

 

 

ପୂର୍ବେ ଥିଲା ଗୋଲୋକେ ମୋହର ସହଚର

 

 

ନିଜ ଧାମେ ଅଳ୍ପଦିନେ ଆସିବ ବାହୁଡ଼ି ।

 

 

ମାନି ବିହି ବଚନ ମୋହର

 

 

କର ପ୍ରତିକାର ଶଙ୍ଖଚୂଡ଼ଦୈତ୍ୟ ନାଶେ ।

 

 

ମହାଯୋଗୀ ମହାବଳବନ୍ତ

 

 

ମଙ୍ଗଳ କବଚ ସଦା ହୃଦେ କରଇ ଧାରଣ;

 

 

ସେ ଯୋଗେ କରେ ଜଗତଜୟ ।

 

 

ହେ ଧୂର୍ଜଟି ! ଘେନିଯାଅ ଏହି ଶୂଳଗୋଟି

 

 

ଦେବଭୂମି ଭାରତମଣ୍ଡଳେ

 

 

ଏହି ଶୂଳେ ମାର ଅସୁରକୁ;

 

 

କିନ୍ତୁ ସେ କବଚ ଥିଲେ ପତନ ନ ହେବ ଦାନବର ।

 

 

ବିପ୍ରବେଶେ ଯାଇ ତା’ର ପାଶେ

 

 

କଉଶଳେ କବଚ ମୁଁ କରିବି ହରଣ ।

 

 

ହେ ବିରଞ୍ଚି ! ବର ତୁମ୍ଭେ ଦେଇଅଛ ତାରେ

 

 

ଭାଙ୍ଗିବ ଯେ ତା’ର ନାରୀ ସତୀତ୍ୱ ବ୍ରତକୁ

 

 

ପାପରେ ମରିବ ଦୈତ୍ୟପତି;

 

 

ସେ ଭାର ମୋହର ପ୍ରତି ରହୁ ।

 

 

ଏ ଦେହ ଅନ୍ତରେ ତା’ର ସ୍ତିରୀ ହେବ ମୋର ପ୍ରିୟା,

 

 

ଏହା ସର୍ବେ ଯାଅ ମନେରଖି ।

ଶିବ

ରମାଧବ ! ନେଇ ମୁଁ ଯାଉଛି ଏହି ଶୂଳ

 

 

କବଳ କରିବ ଏହି ଅସ୍ତ୍ର ଦୈତ୍ୟ ପ୍ରାଣ ।

 

 

ବେଳ କ୍ରମେ ହେଉଛି ବିଳମ୍ବ

 

 

ପାଳ ପ୍ରଭୁ ନିଜେ ନିଜ ବାକ୍ୟ

 

 

ଅନ୍ୟଥା ନୁହଁଇ କେବେ ବଚନ ତୁମ୍ଭର :

 

 

ବିଦାୟ ହେଉଛୁ ଆମ୍ଭେମାନେ ।

 

 

(ଦେବଗଣଙ୍କ ପ୍ରସ୍ଥାନ)

 

ଗୀତ

[ଦେଖ ସୁଷମା କି ରଙ୍ଗରେ - ବୃତ୍ତେ]

 

ଯାଅ ଯାଅ ଅମରେ ପଶ ଦୈତ୍ୟ ସମରେ, ମର ପଛେ ହାରି ରହ ନାହିଁ ଜୀବନେ ।ପଦ। କର ବୀରର କାର୍ଯ୍ୟ, ଶୌର୍ଯ୍ୟ, ବୀର୍ଯ୍ୟ, ଗାମ୍ଭୀର୍ଯ୍ୟ, ଧଇର୍ଯ୍ୟ ସବୁଠାରୁ ଶ୍ରେଷ୍ଠ ଭୁବନେ । ଭୁଲି ନ ଯିବ ତାହା ଯାହାର ଭୋଗ ଯାହା, ନିଶ୍ଚୟ ନିୟତି ଚକ୍ରେ ଘଟିବ ଦିନେ ।୧। ଶାଣଦିଆ ବାଣକୁ ଘେନି ଚଳ ରଣକୁ ଶୂଳଶକତି ଗଦା ମୁଦ୍ଗରାସନେ । ତୀବ୍ରତୀର ଖଡ଼୍‍ଗ ଘେନିଣ ବେଗ ବେଗ ମ୍ଳେଚ୍ଛ ଅରାତି ପ୍ରାଣ ଶୋଷ ସଘନେ ।୨। ଛୁଟୁ କମାଣ ଗୁଳି କୁଳିଶନାଦୁ ବଳି, ଫାଟୁ ଆକାଶ ଧରା ବୀର ଗର୍ଜନେ । ଲୋଟୁ କବନ୍ଧଗଣ ଭୂତଳେ ପଣ ପଣ, ବହୁ ରକତ ସ୍ରୋତ ପ୍ରଖର ତାନେ ।୩। ଚତୁର୍ଦ୍ଦଶ ଲୋକରେ ଯଶ ଖ୍ୟାତି ରଖ ରେ, ଲେଖିବେ କବି ଛବି ଲେଖାରେ ଦିନେ । ଇତିହାସରେ ରବିତଳେ, ବଇଆ ଭାବି ଘୋଷିବ ବେଦସମ ଜନବଦନେ ।୪।

(ପ୍ରସ୍ଥାନ)

•••

 

ଦ୍ୱିତୀୟ ଅଙ୍କ

[ପ୍ରଥମ ଦୃଶ୍ୟ]

 

(ଶିବ ଶୂଳହସ୍ତେ ପୁଷ୍ପଦନ୍ତ ଗନ୍ଧର୍ବସହ ଚନ୍ଦ୍ରଭାଗା ତୀରେ ପ୍ରବେଶ)

ଶିବ

ଚଳ ବେଗେ ପୁଷ୍ପଦନ୍ତ ମହୀନ୍ଦ୍ର ନବରେ

 

 

ଶଙ୍ଖଚୂଡ଼ ଦାନବ ନିକଟ;

 

 

ଶୁଣ ଦୈତ୍ୟପୁରର ବୃତ୍ତାନ୍ତ –

 

 

ଦୀର୍ଘେ ଦଶ, ପ୍ରସ୍ଥେ ପାଞ୍ଚ ଯୋଜନ ବିସ୍ତାର ରାଜବାଟୀ

 

 

ଅତି ଚମତ୍କାର ସେହି ରକ୍ଷପୁର ଦୃଶ୍ୟ;

 

 

ଦେଖିଲେ ଅରାତି ହୃଦେ ଉଦେ ହୁଏ ଶଙ୍କା ।

 

 

ହୀରା ନୀଳା ମୋତି ମାଣିକ୍ୟ ବୈଡ଼ୂର୍ଯ୍ୟାବଳି

 

 

ନାନା ଚିତ୍ରବିଚିତ୍ର ସେ କୋଟିପୁର

 

 

ତହିଁ ହୋଇଛି ନିର୍ମିତ ।

 

 

ତାର ମଧ୍ୟେ ରାଜେ ଦୈତ୍ୟ ବିଳାସ ଭବନ

 

 

ସୂର୍ଯ୍ୟକାନ୍ତ ଚନ୍ଦ୍ରକାନ୍ତ ମଣି ଧାଡ଼ି ଧାଡ଼ି

 

 

ଗୃହ ଚାରିଦ୍ୱାରେ ପାଏ ଶୋଭା

 

 

ଦିଶେ ସୁବର୍ଣ୍ଣ ସୋପାନମାନ କି ମଞ୍ଜୁଳ

 

 

ରତ୍ନଖମ୍ୱ ଲମ୍ବ ଲମ୍ୱ ଗଡ଼ ଚାରିଧାରେ

 

 

ଦ୍ୱାଦଶ ଦ୍ୱାରରେ ରହିଛନ୍ତି ଦ୍ୱାରପାଳେ

 

 

ତାଙ୍କ ପାଶେ କୋଟି କୋଟି ଦାନବ ସେନାଏ

 

 

ଗଡ଼ କରିଛନ୍ତି ରକ୍ଷା ।

 

 

ସର୍ବେ ଅସ୍ତ୍ରଧାରୀ ଯମକିଙ୍କର ସମାନ;

 

 

ଏସନ ଦୁର୍ଗମ ପଥ କରି ଅତିକ୍ରମ

 

 

ତାର ପରେ ଭେଟିବୁ ରାଜାକୁ;

 

 

ଯା କହିଲି ମନେରଖି ଚଳ ସେହିଠାରେ

 

 

ନିର୍ଭୟରେ ଏହି କଥା କହ ରକ୍ଷନାଥେ –

 

ଗୀତ

[ଯାଅ ଯାଅ ସଦନେ କୁନ୍ଦରଦନା -ବୃତ୍ତେ]

 

ଶଙ୍ଖଚୂଡ଼େ ଜଣାଯାଏ ଏହି ଖବର । କହ ମୁହିଁ ଅଟଇ ଦୂତ ଶିବର ।ପଦ। ପେଶିଛନ୍ତି ମହେଶ ଏ ସନ୍ଦେଶ କହି । ଛାଡ଼ିଦିଅ ଦେବଙ୍କୁ ସରଗ ତୁହି । ତା ନ ହେଲେ ତେଜ ମହୀନ୍ଦ୍ର ନବର ।୧। ନାରାୟଣ ସାହାଯ୍ୟେ ବିବୁଧଗଣ । ସ୍ଥିର କରିଣ ଛନ୍ତି ତୋର ମରଣ । କହ ଘଟିଛି ଯେ ଘଟଣା ଆବର ।୨। ବିଷ୍ଣୁଙ୍କ ଠାବରୁ ଶୂଳ ପାଇଣ ଶୂଳୀ । ଚନ୍ଦ୍ରଭାଗାତଟରେ କରନ୍ତି ମେଳ । ଆଜି ଆଦେଶ ମାନି ପଦ୍ମନାଭର ।୩। ଏ ସରବ ଚରିତ ଜଣାଇ ଆସ । ତା ଶୁଣି ଦୈତ୍ୟମଣି କହିବ କିସ-। ମାନ ବିନତି ଦ୍ୱିଜ ବଇଷ୍ଣବର ।୪।

ପୁଷ୍ପଦନ୍ତ

ହେ କୈଳାସପତି !

 

 

ଯାଉଛି ମୁଁ ଅତି ବେଗେ ଶଙ୍ଖଚୂଡ଼ ଆଳେ

 

 

ଜଣାଇ ଏମାନ ଫେରିଆସିବି ବହନ ।

ଶିବ

ହେଳା କର ନାହିଁ ତିଳେ ବୀର

 

 

ଯାଉଛି ମୁଁ ଚନ୍ଦ୍ରଭାଗା ତଟ ତରୁମୂଳେ

 

 

ଦଣ୍ଡେ ତହିଁ କରିବି ବିଶ୍ରାମ ।

 

 

(ସମସ୍ତଙ୍କର ପ୍ରସ୍ଥାନ)

•••

 

[ଦ୍ୱିତୀୟ ଦୃଶ୍ୟ]

 

(ଶଙ୍ଖଚୂଡ଼ ରାଜସଭା – ଶଙ୍ଖଚୂଡ଼ ସିଂହାସନୋପରି ଆସୀନ, ପାର୍ଶ୍ୱେ ମନ୍ତ୍ରୀ,

ଛତ୍ରଚାମରଧାରୀ ଦୈତ୍ୟଗଣ ଦଣ୍ଡାୟମାନ)

 

ଶଙ୍ଖ

ଭୋ ଦୈତ୍ୟମଣ୍ଡଳି !

 

 

ବେଳୁ ସର୍ବେ ଶୁଣିଥା ଏ ମୋର ବଚନ

 

 

ଆଜି ପ୍ରଭାତ କାଳରୁ

 

 

ନାନା ଅମଙ୍ଗଳମାନ ଦେଖାଯାଏ ମୋତେ

 

 

ନାଚେ ବାମବାହୁ ବାମନେତ୍ର ଅବିରତ

 

 

ବେଳେ ଲୋମରାଜି ଉଠଇ ଶିହରି;

 

 

ଫଳିବ କି ଭାଗ୍ୟବୃକ୍ଷେ ମନ୍ଦଫଳ କିଛି ?

ମନ୍ତ୍ରୀ

ଶୁଣ ଶୁଣ ଦଦୁବଂଶୋଦ୍ଭବ ବାଳଭାନୁ,

 

 

ବୃଥା ଚିନ୍ତା ନ ଆଣ ମନକୁ ।

 

 

ଯା’ର ଭୟେ ଭୀତ ଦେବଗଣ

 

 

ତେଜି ଅମରମଣ୍ଡଳ

 

 

ଲୁଚି ଭ୍ରମୁଛନ୍ତି ଏଣେତେଣେ,

 

 

ଯା’ର ଭୁଜତଳେ ଅକଣ୍ଟକ ଅରିହୀନ ଏ ଭାରତଭୂମି,

 

 

ଯା’ର ବଳେ ବଳୀୟାନ ଆଜି ଦୈତ୍ୟକୁଳ,

 

 

ଯା ନାମ ଶ୍ରବଣେ ଥରେ ସ୍ୱର୍ଗ ମର୍ତ୍ତ ସପତ ପାତାଳ,

 

 

ତାର ତୁଲେ ବିବାଦ କରି ସାଧ୍ୟ କାର ?

 

 

ବିଶେଷେ ଏ ମହୀନ୍ଦ୍ର ନବରେ

 

 

ଉଡ଼େ ବୈରୀଜିତବାନା ଗଗନ ପରଶି

 

 

ଲକ୍ଷ ଲକ୍ଷ ରକ୍ଷସେନା ଯା’ର ରକ୍ଷାକାରୀ

 

 

ସେ କି ଭୟ କରିପାରେ ଜଗତେ କାହାକୁ ?

 

 

ବୃଥା ଶଙ୍କା ତେଜ ମନୁ ରାଜା ।

(ଦ୍ୱାରୀର ପ୍ରବେଶ)

 

ଗୀତ

[ବାହାବାହାରେ ଇଂରେଜୀ ଅମଳ - ବୃତ୍ତେ]

 

ଧନ୍ୟ ଧନ୍ୟରେ ମୁଢି, ତୋହରି ଗୁଣ । କହି ନ ପାରିବ ଚାରିମୁଖେ ବ୍ରହ୍ମା ଯେତେ ତୋ ମହିମା ଜଗତେ ଜାଣ ।ପଦ। ଗୋରା ଦେହ ତୋର ତୋରା ଦିଶୁଥାଏ ଗରମ ଗରମ ବେଳରେ ପୁଣ । ମାଖି ଦେଇ ତେଲ ପାକୁଳି କରନ୍ତି ମିଶାଇଣ କଞ୍ଚାମରିଚ ଲୁଣ ।୧। ତୋ ତୁଲେ ନଡ଼ିଆ ଲାଗଇ ଦଢ଼ିଆ ଯେହ୍ନେ ହରିହରଙ୍କର ମିଳନ । ବରଷାରେ କଷିକାକୁଡ଼ି ମିଶାଇ ଖାଇଲେ ବାସନା ତୋଷେ ପରାଣ ।୨। ପୁଷମାସେ ମୂଳା ସହିତରେ ପୁଳା ଚୋବାଇଲେ ରୋଗ ହୁଏ ହରଣ । ଭୋଗିବ ତା ଫଳ ନ ହେବ ବିଫଳ ନ ଘଟିବ ଯୁଗେ ଯୁଗେ ମରଣ ।୩। ପାଣିରେ ପକାଇ ଛାଣି ଯେହୁ ଖାଏ ସଞ୍ଜ ସକାଳରେ ଜାଣି ତୋ ପଣ । ନଖ ଲଙ୍ଗଳରେ ଅଙ୍ଗଦେଶ ଚଷି ବୁଣଇ ଫସଲ ପଣକୁ ପଣ ।୪। ବୁଝନ୍ତି ବଙ୍ଗାଳି ବାବୁଏ ତୋ ମଜା ନ ଜାଣେ ଓଡ଼ିଆ ବଢ଼ିଆପଣ । ତାଡ଼ିଆ ପାଇଲେ ନ ଛାଡ଼ନ୍ତି ତୋତେ ଛନ୍ଦେ ବଇଷ୍ଣବ ମୁଢ଼ିପୁରାଣ ।୫।

ଶଙ୍ଖ

ଦ୍ୱାର ଛାଡ଼ି କିପାଁ ଦ୍ୱାରୀ ଆସିଲୁ ମୋ ପାଶେ ?

ଦ୍ୱାରୀ

ଉଭା ଶିବଦୂତ ଆସି ସିଂହଦ୍ୱାରଦେଶେ ।

ଶଙ୍ଖ

କି ନିମନ୍ତେ ଏଥେ ଆଗମନ ?

ଦ୍ୱାରୀ

ଶ୍ରୀଛାମୁଙ୍କ ଦରଶନେ ବଳାଇଣ ମନ ।

ଶଙ୍ଖ

ଆଚ୍ଛା ତେବେ ଛାଡ଼ିଦିଅ ବାଟ ।

ଦ୍ୱାରୀ

ନ ଛାଡ଼ିଲି ଥିଲା ଯେଣୁ ରାଜାର ଆକଟ ।

 

 

(ପ୍ରସ୍ଥାନ)

 

 

(ପୁଷ୍ପଦନ୍ତର ପ୍ରବେଶ)

ଶଙ୍ଖ

କି କାରଣେ ଏଥେ ଉପଗତ ଶଙ୍କରକିଙ୍କର ?

ପୁଷ୍ପ

ଶୁଣ ! ମହୀନ୍ଦ୍ରାଧିପତି ଆଦେଶ ତାଙ୍କର,

 

 

ହେ ଦାନବଶ୍ରେଷ୍ଠ !

 

 

ପେଷିଛନ୍ତି ମୋତେ ମହାଦେବ

 

 

ଦେବଙ୍କର ଉପକାର ପାଇଁ,

 

 

ତବ ଭୟେ ଭୀତ ଦେବଗଣେ

 

 

ଜଣାଇଲେ ବିଷ୍ଣୁଙ୍କ ନିକଟେ ତାଙ୍କ ଦୁଃଖ

 

 

ଗୋଲୋକ ବୈକୁଣ୍ଠେ ହର – ବ୍ରହ୍ମାଙ୍କର ତୁଲେ;

 

 

ତେଣୁ ଦେଲେ ନାରାୟଣ ଶିବକରେ ଶୂଳଗୋଟି

 

 

ରାଜା, ତବ ନିଧନକାରଣେ ।

 

 

ତହୁଁ ଆସି ସ୍ୱୟଂ ମହେଶ୍ୱର

 

 

ବସି ଚନ୍ଦ୍ରଭାଗାତୀରେ ବଟବୃକ୍ଷ ମୂଳେ

 

 

ମୋତେ ପଠାଇ ତବଠାକୁ

 

 

ବୋଇଲେ ଯାଇ ଦାନବ ମହୀନ୍ଦ୍ରକୁ କହ

 

 

ଛାଡ଼ିଦେଉ ବିବୁଧବୃନ୍ଦଙ୍କ ଅଧିକାର

 

 

ତା ନହେଲେ ନାରାୟଣ ପ୍ରଦତ୍ତ ଶୂଳରେ

 

 

ଶୂଳୀକରେ ଯିବ ଯମପୁର’’ ।

 

 

ରାଜା ! ଦିଅ ଏହି କଥାର ଉତ୍ତର, ଯିବି ଚାଣ୍ଡେ ।

ଶଙ୍ଖ

ଶିବଦୂତ ! ସେ ନିମନ୍ତେ ଶଙ୍ଖଚୂଡ଼ ଭୀତ ନୁହେ ତିଳେ,

 

 

ଯାଇ କହ ହରଙ୍କ ନିକଟେ

 

 

‘‘କାଲି ପ୍ରାତେଃ ପ୍ରବେଶିବି ଚନ୍ଦ୍ରଭାଗା ତଟେ

 

 

ହୋଇ ଭେଟ କହିବି ସରବ;

 

 

ବର୍ତ୍ତମାନ ନ କହିବି କିଛି ।’’

ପୁଷ୍ପ

ଯଥା ଆଜ୍ଞା ଦୈତ୍ୟପତି,

 

 

ଯାଉଛି ଜଣାଇବି ହରେ ।

 

 

(ପ୍ରସ୍ଥାନ)

ଶଙ୍ଖ

ମନ୍ତ୍ରୀ ! ବର୍ତ୍ତମାନ କର ସଭାଭଙ୍ଗ ।

 

 

ଦେଖିଲ ପୂର୍ବସୂଚକର ଫଳାଫଳ

 

 

କେତେ ଶୀଘ୍ର ପଡ଼ିଲା ଆଗରେ ।

ମନ୍ତ୍ରୀ

ଯେ ଆଜ୍ଞା ଦୈତ୍ୟରାଜ !

 

 

(ସମସ୍ତଙ୍କ ପ୍ରସ୍ଥାନ)

•••

 

[ତୃତୀୟ ଦୃଶ୍ୟ]

(ଚନ୍ଦ୍ରଭାଗା ସିନ୍ଧୁତଟ, ଶିବପାଶେ ପୁଷ୍ପଦନ୍ତର ପ୍ରବେଶ)

 

ଶିବ

ଭାଷ ! ପୁଷ୍ପଦନ୍ତ,

 

 

କି କହିଲା ଦୈତ୍ୟ ଶଙ୍ଖଚୂଡ଼

 

 

ସେ ସମସ୍ତ ଭାଷ ଗୋଟି ଗୋଟି ।

ପୁଷ୍ପ

ହେ ଶଙ୍କର !

 

 

ଘେନି ତବ ଆଜ୍ଞା ଶିରେ ଗଲି ମହୀନ୍ଦ୍ର ନଗରେ

 

 

ଦାନବ ସଭାରେ ପ୍ରବେଶିଲି,

 

Unknown

 

 

ମୋତେ ଦେଖି ପଚାରିଲା ସେହି ଅମରାରି

 

 

କି ନିମନ୍ତେ ଶିବଦୂତ ତବ ଆଗମନ ?

 

 

ତହୁଁ ଜଣାଇଲି ହର ! ତବ ଆଦେଶ ସରବ ।

 

 

ଶୁଣି ରକ୍ଷ କହିଲା ଏମନ୍ତ –

 

 

ଯାଅ ପୁଷ୍ପଦନ୍ତ, କହ ହରେ

 

 

କାଲି ପ୍ରାତେଃ ସାକ୍ଷାତ କରିଣ ଶିବସହ

 

 

ସେହିଠାରେ ଦେବି ଏହି କଥାର ଉତ୍ତର ।

 

 

ମୋତେ ମେଲାଣି ଦେଇଣ ଗଲା ରାଣୀହଂସପୁରେ;

 

 

ଦେଖି ଶୁଣି ଫେରିଲି ଏଠାକୁ ।

ଶିବ

ପୁଷ୍ପଦନ୍ତ ! ଜଣାଯାଏ ଦାନବର ରଣର ବାସନା ।

 

 

ଆଚ୍ଛା, ନାହିଁ ତହିଁକି ଶୋଚନା

 

 

ବେଳହୁଁ କରିବା ଆମ୍ଭେ ଯୁଦ୍ଧ ଆୟୋଜନ ।

 

ଗୀତ

[କି ଉପାୟ କରିବି ମାତଳି - ବୃତ୍ତେ]

 

ଯାଅ ପୁଷ୍ପଦନ୍ତ ଭାଷ କାର୍ତ୍ତିକ ଗଣେଶରେ । ରୁଦ୍ରସେନା ସାଜି ଦୁହେଁ ଆସନ୍ତୁ ମୋ ପାଶରେ ।ପଦ। ନନ୍ଦି ବୀରଭଦ୍ର ମହାକାଳ ମହାରୋଷରେ । ବିକଟ ଆକାର ପିଙ୍ଗଳାକ୍ଷ ବୀରବେଶରେ ।୧। ବିରୂପ ବିକୃତି ବିକମ୍ପନ ମଣିଭଦ୍ର ଯତି । ଦୀର୍ଘଦଂଷ୍ଟ୍ର କପିଳାକ୍ଷ ସେ ଦୁର୍ମତି । ବିଶ୍ୱକର୍ମା ହୁତାଶନ ଜଳପତି । ଜୟନ୍ତ ଶମନ ବୁଧ ବୃହସ୍ପତି । ବାୟୁ ଅଶ୍ୱିନୀ – କୁମାର ଛାୟାପତି । ଅଗ୍ନି ଶନି ଆଦି ଗ୍ରହେ ଯେତେ ଛନ୍ତି । ସରବ ଅମର ସେ ଅମର । ରଣଚଣ୍ଡୀ ଭଦ୍ରକାଳୀ ଦେବୀ ବୀର । ଯୋଗ୍ନୀ କାନ୍ତାନୀ କଙ୍କାଳୀ କାଳୀ ମୋର । ଭୂତ ପ୍ରେତ ପିଶାଚାଦି ସଙ୍ଗରେ । ବଇ କହି ରକ୍ଷରକ୍ତ ପିଇ ହେବେ ତୋଷ ରେ ।୨।

ପୁଷ୍ପ

ହେ ମହେଶ !

 

 

ଯାଉଛି ମୁଁ ତବାଦେଶ ଜଣାଇବି ଗଣେଶ – କାର୍ତ୍ତିକେ;

 

 

ରଣସାଜେ ସୁସଜ୍ଜିତ ହୋଇଣ ସରବେ

 

 

ଆସନ୍ତୁ ତୁମ୍ଭ ନିକଟକୁ ।

ଶିବ

ଯାଅ ତିଳେ ନ କରି ବିଳମ୍ୱ;

 

 

କରୁଛି ଭ୍ରମଣ ସିନ୍ଧୁତଟେ ବେଳାଭୂମେ ।

 

 

(ଉଭୟର ପ୍ରସ୍ଥାନ)

(ଶଙ୍ଖଚୂଡ଼ ତୁଳସୀ ନିକଟେ ଅନ୍ତଃପୁରେ ପ୍ରବେଶ)

ଶଙ୍ଖ

ପ୍ରିୟେ !

 

 

ଶୁଣ ଅଦ୍ୟ ଦିବସ ଘଟନା

 

 

ଶଙ୍କରକିଙ୍କର ପୁଷ୍ପଦନ୍ତ ଦୂତ ଆସି

 

 

ମୋର ସଭାସ୍ଥଳେ ଯେଉଁ କଥା କରିଲା ପ୍ରକାଶ;

 

 

ସେ କଥା ପଡ଼ିଲେ ମନେ କୋପେ ହୃଦ କମ୍ପେ

 

 

ବାତାହତ ରମ୍ଭାପତ୍ର ସମ ।

 

 

ତିଳେ ମାତ୍ର ନ କଲା ଆଶଙ୍କା

 

 

କହିଲା ଶିବର ଆଜ୍ଞା

 

 

ଛାଡ଼ିଦିଅ ଦେବଗଣେ ତାଙ୍କ ଅଧିକାର;

 

 

ନୋହିଲେ ମରିବ ହରହାତେ ରଣ କରି ।

 

 

ଏହା ପୁଣି ଶୁଣିଲା ଏ ଶ୍ରୁତି;

 

 

ଯା’ର ନାମେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ଜୀବ

 

 

ସଦା ଭୟେ ହୁଅନ୍ତି ଅସ୍ଥିର,

 

 

ସେହି ଶଙ୍ଖଚୂଡ଼ ଡରି ରହିବ ରଣକୁ ?

 

 

ଜୀବେଶ୍ୱରି !

 

 

ଯିବି ଶିବରଣେ, ବେଗେ କର ଗୋ ବିଦାୟ ।

ତୁଳସୀ

ପ୍ରାଣମଣି !

 

 

ନ ଭାଷ ଏ ବାଣୀ ଅଧୀନାକୁ

 

 

ଶୁଣିଲାକ୍ଷଣି ପିଣ୍ଡରୁ ପ୍ରାଣ ଯାଏ ଉଡ଼ି

 

 

କର ଧରି କରୁଅଛି ମନା

 

 

ତେଜ ବୃଥା ରଣର ବାସନା

 

 

ରଖ ଥରେ ଦାସୀ ନିବେଦନ ।

 

 

ଜୀବନ ଯୌବନ ଧନ ତୁମ୍ଭେ ଅଟ ମୋର

 

 

ନିମିଷେ ଅନ୍ତର ହେଲେ ନୟନପଥରୁ

 

 

ଚଉଦିଗ ଦିଶେ ତମୋମୟ ।

 

 

ଜୀବେଶ୍ୱର !

 

 

ପଡ଼ୁଛି ପୟରେ

 

 

ଚରଣସେବିକା ପ୍ରତି ନ ହୁଅ ନିର୍ଦ୍ଦୟ ।

 

ଗୀତ

[ନିଅବନମାଳମହାପତି – ବୃତ୍ତେ]

 

ଯେବେ ରଣେ ମତି ବଳାଇଛ ପତି ଅତିବେଗେ ସତୀପରାଣ ହେ । ଘେନ ତବ କରେ ଏ ତିନିଲୋକରେ ରଖ ଯଶ ଦେଲି ମୋ ରାଣ ହେ ।ପଦ। ପୂରାଅ କାମନା ନାହିଁ ତିଳେ ମନା ମରଣେ କରିଛି ବରଣ ହେ । ନ ପାରିବି ସହି ବିରହବେଦନା ବିପଦେ ନେବି କା ଶରଣ ହେ ।୧। ବିଗତ ନିଶାରେ ଅସାର ସପନ ଦେଖି କରୁଅଛି ବାରଣ ହେ । ଜଣାଯାଏ ଦୁଃଖରାହୁ ସମ୍ମୁଖରେ ପଡ଼ିଛି ମୋ ଭାଗ୍ୟ-ଅରୁଣ ହେ ।୨। ଶିରୀଷସୁମନ ସହିଛି କି କେବେ ତୀକ୍ଷ୍‍ଣ ତପନର କିରଣ ହେ । ତେହ୍ନେ ଦାସୀ ଦଶା ହେବ ରସାନାଥ ଜଣାଇଲି ଏହି କାରଣ ହେ ।୩। ତୁମ୍ଭେ କଳ୍ପଦ୍ରୁମ ମୁହିଁଟି ଆଶ୍ରିତା ଲତିକା ରଖିଥା ସ୍ମରଣ ହେ । ଛାଡ଼ିଦେବ ଯେବେ ଜଡ଼ିବି କା ଅଙ୍ଗେ ଭଣେ ବଇଷ୍ଣବଚରଣ ହେ ।୪।

 

ଶଙ୍ଖ

ଶୁଣ ପ୍ରିୟେ !

 

 

ଜୀବନ ମରଣ ଦୁଃଖ ଶୋକ ଅବିରତ ଗ୍ରାସଇ ଜୀବକୁ

 

 

ନାହିଁ କିଛି ସ୍ଥିର ଏ ଜଗତେ ।

 

 

ଆଜି ଯେହୁ ଇହଧାମେ ଦେଖ

 

 

କାଲି ପରଲୋକେ ତା’ର ଘର ।

 

 

ଭାବି ଦେଖ, ଏ ସକଳ ଈଶ୍ୱରର ଖେଳ

 

 

ସୃଷ୍ଟି ସ୍ଥିତି ଲୟ ଏହି ତିନି କାର୍ଯ୍ୟ କରି

 

 

ଅନୁକ୍ଷଣେ ଭ୍ରମଇ ସଂସାରେ ।

 

 

ଧାତାରୂପେ ଜନମାଇଁ ପାଳେ ବିଷ୍ଣୁରୂପେ

 

 

ପୁଣି ଶିବରୂପେ କରଇ ସଂହାର

 

 

ଯାହା ଯାହା ଦେଖୁଛ ନୟନେ ପ୍ରିୟେ !

 

 

ଏ ସକଳ ମାୟାର ଆକର

 

 

କେବଳ ନିୟମ ତନ୍ତ୍ର ଯନ୍ତ୍ର ସାହାଯ୍ୟରେ

 

 

ଚଳେ ଏ ବିଶ୍ୱବ୍ରହ୍ମାଣ୍ଡ ।

 

 

ଇନ୍ଦ୍ର ଅଗ୍ନି ବରୁଣ କୁବେର ଆଦି ଦେବେ

 

 

ଏ ସକଳେ ଈଶ୍ୱରର ଅଂଶ

 

 

ଧରି ତା’ର ଆଜ୍ଞା ଶିରେ ପାଳନ୍ତି ବ୍ରହ୍ମାଣ୍ଡ ।

 

 

ଏକ ପିତା ବିନୁ ଆନ କର୍ତ୍ତା ନାହିଁ କେହି

 

 

ବନ୍ଧୁଭାବେ ଡାକ ପ୍ରିୟେ ସେ ଦୀନବନ୍ଧୁଙ୍କୁ;

 

 

ଲକ୍ଷ ଲକ୍ଷ ଯୋଜନ ଅନ୍ତରେ ପଳାଇବ ବିଘ୍ନବାଧା ।

 

 

କେ କାହାର ପିତା ମାତା କେ କାହା ବନିତା

 

 

କେ କାହା ଭଗ୍ନୀ ବା ଭ୍ରାତା ବନ୍ଧୁ ନୁହେଁ କା’ର

 

 

ତୁମ୍ଭେ କିଏ ମୁଁ ବା କିଏ

 

 

ଏକ ଛଡ଼ା ଦୁଇ ନାହିଁ କେହି ।

 

ଗୀତ

[ତୁହି ପ୍ରାଣେ ଥାଉଁ ଥାଉଁ ରେ ପାର୍ଥ ମୁଁ – ବୃତ୍ତେ]

 

ପଥେ ପଥିକ ଯେସନେ ଶ୍ରମ ନିବାରନ୍ତି ଏକ ବୃକ୍ଷମୂଳେ ପଥେ ।ପଦ। ଶ୍ରମ ସାରି ଯେଝା ଦିଗେ ଗମନ୍ତି । ତାଙ୍କ ପଛେ ବୃକ୍ଷ କରେ କି ଗତି । ଆଗୋ କୁଟିଳାକ୍ଷି,କେ କା’କୁ ଅପେକ୍ଷା ନ କରନ୍ତି କଦାଚିତେ ।୧। ତେସନ ଏ ଭବ ବୃକ୍ଷମୂଳରେ । ବସିଛୁ ସରବେ ଏକମେଳରେ । ଆଗପଛ ହୋଇଯିବା ପଥବାହି କାଳ କରାଳ ଆୟତ୍ତେ ।୨। ନବୀନା, ନୟନ ମୁଦିଲେ ତିଳେ । ମହା ଅନ୍ଧକାର ଘୋଟିବ ହେଳେ । ହେଜି ବୁଝି ଏହି କଥାମାନ ଶୋକ ଦୂର କରନ୍ତି ପଣ୍ଡିତେ ।୩। ସେ ନିମନ୍ତେ ନ କର ଗୋ ଶୋଚନା । ନୀଚମନା ହୋଇ ପିକବଚନା । ଅଳପ କାଳେ କଳପଣା ପୂରିବ ବିପ୍ର ବଇ ଭାଷେ ଗୀତେ ।୪।

 

ତୁଳସୀ

ପ୍ରାଣେଶ୍ୱର ! ମୁହିଁ ଛାର ନାରୀ

 

 

ପାରିବି କି କଥାରେ ତୁମ୍ଭଙ୍କୁ;

 

 

କିନ୍ତୁ ରଣେ ପ୍ରାଣ ଦେଇ ତୁମ୍ଭେ ଗମିବ ଗୋଲୋକେ;

 

 

ମୁହିଁ କାହିଁପାଇଁ ପଡ଼ିରହିବି ସଂସାରେ

 

 

ପଙ୍ଗୁପରି ଅଙ୍ଗହୀନ ହୋଇ ?

 

 

ଅବିଚ୍ଛିନ୍ନ ସେ ହରବନ୍ଧନ ଚିହ୍ନ ଏ କି ଅଟେ କାନ୍ତ

 

 

ବେଳେବେଳେ ଭୁଲିଯାଏ ମନୁ

 

 

ମାନବୀୟ ମାୟାଜାଲେ ପତିତ ହୋଇଣ

 

 

ଅନେକ ତପେ ଲଭିଛି ତବ ଅଙ୍ଗସଙ୍ଗ

 

 

ମେଣ୍ଟିନାହିଁ ଇନ୍ଦ୍ରିୟଲାଳସା

 

 

ସହସା ଘଟିଲା ଏ ବିପଦ ।

ଶଙ୍ଖ

-

ଚନ୍ଦ୍ରାନନେ !

 

 

କପାଁ ମନେ ଆଣ ନାନାଭାବ ?

 

 

ବହୁକାଳ ତପଫଳ ଏବେ ଅଛି ଫଳି

 

 

ଗୋଲୋକେ ବିଷ୍ଣୁଙ୍କ ଭେଟ ହେବ ଅଳ୍ପଦିନେ;

 

 

ପଦକଟଶୋଭିନୀ ମିଳିବା ଗୋଲୋକେ

 

 

ହେବା ପରସ୍ପର ସେହି ଠାବେ ଭେଟାଭେଟି

 

 

ଏଥୁ କୋଟିଗୁଣେ ସୁଖ ତହିଁ ହେବ ଲାଭ

 

 

ନିଭିଯିବ ଶୋକ-ଦୁଃଖରେଖା ।

ତୁଳସୀ

ଚାଲ କାନ୍ତ ଅନ୍ତଃପୁରେ ମାତି ରତିରସେ

 

 

ରାତି କଟାଇବା ଏକାନ୍ତରେ;

 

 

ଚିରତୃଷ୍ଣା ମେଣ୍ଟିବ ଦାସୀର

 

 

ତବ ସହ ସୁମନଶେଯରେ ।

ଶଙ୍ଖ

-

ଜୀବେଶ୍ୱରୀ ! ଯା କହିଲ ସତ୍ୟ ଅଟେ ତାହା;

 

 

କିନ୍ତୁ ଜାଣି ନାହଁ ପ୍ରକୃତ ବୀରର ହୃଦଭାବ ।

 

 

ବୀରପକ୍ଷେ ଚିର ସୁଖ ନୁହେଁ କେଳି-ଶଯ୍ୟା

 

 

ତାହା ବୁଝାଇ ଦେଉଛି ଶୁଣ ପ୍ରିୟେ ।

 

ଗୀତ

[ରମଣୀ ହୋଇ ମରଣେ – ବୃତ୍ତେ]

 

ନ ଜାଣୁ ନୀରଜନେତ୍ରୀ ବୀର ହୃଦଭାବ ରେ । ବୀରପକ୍ଷେ କେଳିଶଯ୍ୟା ନୁହେ ସୁଖ ଲବ ରେ ।ପଦ। ସମରଭୂମିରୁ ସାର ନୁହେଁ ବିଳାସ ମନ୍ଦିର । ରୁଣ୍ଡ ଯହିଁ କୋଟି କୋଟି ମୁଣ୍ଡହୀନ-ଶବ-ରେ-।୧। ଯହିଁ ରକ୍ତ ଅସ୍ଥି ମାଂସ ତୁଳିତଳପ ସଦୃଶ । ତହିଁ ଶୟନେ ହୁଅଇ ମହା ସ୍ନେହ ଲାଭ ରେ ।୨। କବନ୍ଧ ମୃଚୁଳୀ ଯହିଁ, ତା’ର ପରେ ଶିର ଥୋଇ ମହାନିଦ୍ରା ଘୋଟେ ତେଜି ମୋହ ମାୟା ଲୋଭରେ-।୩। ରମଣୀର ଅଳଙ୍କାର ରମଣକାଳ ଝଙ୍କାର । ତା ଶ୍ରେଷ୍ଠ କାର୍ମୁକ ଟଙ୍କାରର ରବ-ରେ-।୪। ନଖ ଦନ୍ତ କ୍ଷତମାନ-ଠାରୁ ଖଡ଼୍ଗ ଖଣ୍ଡା ଚିହ୍ନ ବଳି ଯେବେ ଉଠିକରି ନାହୁଁ ଅନୁଭବ-ରେ-।୫। ମଲକୀତାର ତୀରଣ-ଠାରୁ ଶ୍ରେଷ୍ଠ ଶତଗୁଣ । ବାହୁ ଭିଡ଼ାଭିଡ଼ି ପାଦେ ପାଦ ଛନ୍ଦା ଜବରେ । ଖରଶ୍ୱାସ ସୀହରଡ଼ି ଛାଡ଼ନ୍ତେ ଆନନ୍ଦ ବଢ଼ି । ଉଠେ ପଦ ଯୋଡ଼ି ଲେଖେ ବିପ୍ର ବଇଷ୍ଣବ ରେ ।୬।

 

ତୁଳସୀ

ପ୍ରାଣେଶ୍ୱର !

 

 

ନିଶି ଆସି ହେଲାଣି ଅଧିକ,

 

 

ପ୍ରାତେଃ ରଣେ ଯିବ ବୀରସାଜେ ସଜ ହୋଇ

 

 

ବାଧିବ ଅଙ୍ଗକୁ ରବିକର

 

 

ଆକର୍ଷନ୍ତେ ନୟନରେ ତନ୍ଦ୍ରା

 

 

କପାଳ ଲେଖନମୂଳେ ପାରେ କେ ନିବାରି ?

 

 

ଭଲ ଯାହା ଦିଶେ ତାହା କର ।

 

 

(କର ଧରାଧରି ହୋଇ ଉଭୟର ପ୍ରସ୍ଥାନ)

•••

 

[ଚତୁର୍ଥ ଦୃଶ୍ୟ]

(ଚନ୍ଦ୍ରଭାଗାତଟେ ତରୁମୂଳ – ଶିବ ନିକଟେ ପୁଷ୍ପଦନ୍ତର ପ୍ରବେଶ)

 

ପୁଷ୍ପ

ଶୁଣଶୁଣ ତ୍ରିଲୋଚନ ମମ ନିବେଦନ,

 

 

ଶଙ୍ଖଚୂଡ଼ ସେନା ସାଜି ଆସେ ରଥେ ବସି

 

 

ମହା ମହା ବନଗିରି କରି ଅତିକ୍ରମ ।

 

 

ଦେଖ ଦେଖ ସେନାଙ୍କର ପାଦଘାତେ ଉଡ଼ି ଧୂଳି

 

 

ଘୋଟଇ ଗଗନ

 

 

ପ୍ରଭାହୀନ ପ୍ରଭାକର କର ।

 

 

ଦାନବଗହଣେ ଚୂର୍ଣ୍ଣ ହୁଏ ଶିଳାବୃକ୍ଷ

 

 

ପ୍ରାଣଭୟେ ନିଜ ନିଜ ବାସ ଭୂମି ତେଜି

 

 

ପଳାବନ୍ତି ଜୀବଜନ୍ତୁଗଣେ ।

 

 

ତ୍ରିଂଶ ଅକ୍ଷୌହିଣୀ ବାଦ୍ୟକାର

 

 

ବଜାବନ୍ତେ ଶବଦରେ ଥରିଉଠେ ଧରା ।

 

 

ଆବର ସଙ୍ଗେ ଅଛନ୍ତି ତିନିଲକ୍ଷ ଅକ୍ଷୌହିଣୀ

 

 

ରଥୀ ସେନା ସେନାପତି ।

 

 

ଦେବ ! ସୈନ୍ୟ ସଜାନ୍ତୁ ଆମ୍ଭର;

 

 

ଜଣାଯାଏ ନିଶ୍ଚେ ହେବ ରଣ ।

ଶିବ

-

ସ୍ଥିର ହୁଅ ପୁଷ୍ପଦନ୍ତ ଭୀତ ନୁହ ଏତେ

 

 

କହ କାର୍ତ୍ତିକକୁ

 

 

ଅଦୂରେ ରଖିବ ସାଜି ଆମ୍ଭ ଦେବଥାଟ ।

 

 

ଆସୁ ଶଙ୍ଖଚୂଡ଼, ଭାଷୁ ମୋହରି ନିକଟେ

 

 

ତାର ମନୋଭାବ ଗୋଟି,

 

 

ନ ମାନିଲେ ମୋ ବଚନ

 

 

ରଣେ ପ୍ରାଣ ନେବି ଏହି ଶୂଳେ

 

 

ତିଳେ କେହି ନ କରିବ ଶଙ୍କା ।

(ବୀରବେଶେ ଶଙ୍ଖଚୂଡ଼ର ପ୍ରବେଶ)

ଶଙ୍ଖ

-

(ସ୍ୱଗତ) ଏହି ତ ଅଟଇ ଚନ୍ଦ୍ରଭାଗା ସିନ୍ଧୁତଟ

 

 

କାହାନ୍ତି ଏ ଠାବେ ବିଶ୍ୱନାଥ

 

 

ଭଣ୍ଡିଲା କି ପୁଷ୍ପଦନ୍ତ ମୋତେ ହର ନାମ କହି ?

 

 

କାହିଁ, କେଉଁଠାରେ ! (ଚାରିଦିଗେ ଚାହିଁ)

 

 

ଏହି ଯେ, ଶଙ୍କର ବିଜେ ବଟଛାୟା ତଳେ

 

 

ସାଜେ କରେ ଡମ୍ବରୁ ତ୍ରିଶୂଳ

 

 

ଯାଇଁ କରିଣ ସାକ୍ଷାତ

 

 

ପଚାରିବି କାରଣ ସରବ । (ନିକଟକୁ ଯାଇ)

 

 

ତ୍ରିଅମ୍ବକ ପ୍ରଣାମ ଚରଣେ,

 

 

କି ନିମନ୍ତେ ବିଜୟ ଏଠାବେ

 

 

କରନ୍ତୁ ପ୍ରକାଶ ଦୂତେ ପେଷିବା କାରଣ ?

ଶିବ

-

ଶୁଣିଥିବ ଶଙ୍ଖଚୂଡ଼ !

 

 

ଯେ ନିମନ୍ତେ ପୁଷ୍ପଦନ୍ତେ ପଠାଇଲି ତୁମ୍ଭ ନିକଟକୁ

 

 

ଛାଡ଼ିଦିଅ ଦେବତାଙ୍କୁ ତାଙ୍କ ଅଧିକାର ।

 

 

ଏ ମୋର ଗୁହାରି ରକ୍ଷା କରି

 

 

ଦେବାସୁର ଦୁହେଁ ଅଟ କଶ୍ୟପ ସନ୍ତାନ

 

 

ଏକ ପିତା, ମାତା ମାତ୍ର ଭିନ୍ନ;

 

 

ସେ କାରଣୁ ଜଣାଉଛି ବୀର,

 

 

ଜ୍ଞାତିଦ୍ରୋହ ନ ସାଜିବ ତୁମ୍ଭ ସମ ବିଷ୍ଣୁଭକ୍ତ ଜନେ ।

ଶଙ୍ଖ

-

ହେ ମହେଶ ! ଯା କହିଲ ମିଥ୍ୟା ନୁହେଁ ଏହା;

 

 

କିନ୍ତୁ କହ ଦେଖି ହର

 

 

ଯେବେ ମନେ କର ଜ୍ଞାତିଦ୍ରୋହ ମହାପାପ

 

 

ତେବେ କିପାଇଁ ବିଷ୍ଣୁର ପରାମର୍ଶ ଦେବେ

 

 

କଳି ତୁଲେ ବଳେ ବଳେ କରିଲେ ବିବାଦ,

 

 

ଶେଷେ ତାକୁ ଚାପିଲେ ପାତାଳେ ।

 

 

ନିଜେ ହରି ଦ୍ୱାରେ ତା’ର ଥାଇଁ ଦ୍ୱାରୀରୂପେ

 

 

ଅଦ୍ୟାବଧି ନ ତାରିଲେ ତାକୁ ?

 

 

କିପାଁ ହିରଣାକ୍ଷେ ଦେବେ ହୋଇଲେ ବିବାଦୀ

 

 

ମରାଇଲେ ହିରଣ୍ୟ ସହିତେ କଉଶଳେ;

 

 

ସେହି କି ନୁହନ୍ତି ତାଙ୍କ ଜ୍ଞାତି ?

 

 

କିପାଁ ଶୁମ୍ଭାଦି ଦାନବେ ନାଶିଲେ ଭବାନୀ ?

 

 

ଦେବାସୁର ମନ୍ଥିଲେ ସାଗର ପୂର୍ବକାଳେ

 

 

ଦେବତାଏ ନେଲେ ଧନମାନ;

 

 

କେବଳ କଷ୍ଟର ଭାଗି ହୋଇଲେ ଦାନବେ ।

 

 

ତାହା ନୁହେଁ ହର !

 

 

ଈଶ୍ୱରର କ୍ରୀଡ଼ା ଏ ଜଗତ

 

 

ଯା’ର ଯେ ପଦାର୍ଥ ତାକୁ ଦେଉଥାନ୍ତି ଅଲକ୍ଷିତଭାବେ ।

 

ଗୀତ

[ଏଇ କି ମୋର ମନେ ଛିଲ – ବୃତ୍ତେ]

 

ସୁରାସୁରଙ୍କ ଭେଦ ସବୁଦିନେ ଶୁଣିଛି । ସେହି ଭାବେ ହୃଦୟରେ ବାରବାର ଗୁଣିଛି ।ପଦ। ଯେବେ ସମଭାବେ ଦେଖ ଦୁହଁଙ୍କି ହେ ତ୍ରିଅମ୍ବକ ! ତେବେ କେ ତୁମ୍ଭରେ ପକ୍ଷ କରି ଏଥି ଆଣିଛି ।୧। ମୋ ତୁଲେ ଲଢ଼ିବ ଯେବେ ଶଙ୍କର କହୁଛି ତେବେ । ଭୋଗିବ ବହୁତ ଲଜ୍ଜା ବେଳୁ ଏହା ଜାଣିଛି ।୨। ନିନ୍ଦା ରଟିବ ଜଗତ ଯୁଗେ ଯୁଗେ ଭୂତନାଥ ! କୃଷ୍ଣମନ୍ତ୍ର ଜପି ହୃଦେ ମୁଁ ଜୟବୀଜ ବୁଣିଛି ।୩। ନିଜ ମାନ ରକ୍ଷାକରି ଯା ଯା ଏଠାରୁ ଫେରି । ପଦେ ଲୟ କରି ବଇ ପଦ ଭଣିଛି ।୪।

 

ଶିବ

-

ଶୁଣ ଦୈତ୍ୟରାଜ !

 

 

ଆମ୍ଭେ ସର୍ବେ ଏକ ବଂଶୋଦ୍ଭବ ।

 

 

ସେହି ବ୍ରହ୍ମା-ଅଂଶୁ ଜାତ ଯେଣୁ,

 

 

ତେଣୁ ରଣରେ ହାରିଲେ ଲଜ୍ଜା ମୋର କିସ ?

 

 

ମଧୁକଇଟଭ ରଣେ ନାରାୟଣ ପଶି

 

 

ନାଶିଲେ ତାହାଙ୍କୁ ଅବହେଳେ

 

 

ପୁଣି ହିରଣ୍ୟକଶିପୁ ଜୀବନେ ଘେନିଲେ;

 

 

ଏଥିରେ କି ଯଶ ହ୍ରାସ ଘଟିଲା ତାଙ୍କର ?

 

 

ଆଦିଶକ୍ତି ଜଗତଜନନୀ

 

 

ଶମ୍ଭୁ ଆଦି ଦାନବେ ମାଇଲେ,

 

 

ଏଥିରେ କି ଯଶ ହାନି ହୋଇଅଛି ତାଙ୍କ ?

 

 

ତୁମ୍ଭର ନିଗ୍ରହ ସହି ନ ପାରି ଅମରେ

 

 

ହରି ଆଗେ କରିଲେ ଗୁହାରି;

 

 

ତେଣୁ ବିଷ୍ଣୁ ଦେଲେ ଏ ଆଦେଶ

 

 

ହରେ ଘେନି ମାର ଦାନବକୁ ।

 

 

ଯଦି ରଣ କରିବି ମୁଁ ତୁମ୍ଭ ସଙ୍ଗତରେ

 

 

ତିଳେ ଲଜ୍ଜା ନ ହେବ ଜଗତେ ।

 

 

ମାନି ରାଜା ମୋହର ବଚନ

 

 

ଛାଡ଼ିଦିଅ ଦେବେ ଅଧିକାରମାନ;

 

 

ତା ନ ହେଲେ ରଣ କର ମୋହର ସହିତ ।

ଶଙ୍ଖ

-

ପଞ୍ଚମୁଖ ! ସେ ନିମନ୍ତେ ତିଳେ ଭୀତ ନୁହେ ଶଙ୍ଖଚୂଡ଼

 

 

ଶକ୍ତିମତେ ମାତ ରଣେ ଦେବଙ୍କୁ ଘେନିଣ ।

 

 

ଘେନ ଅଗ୍ରେ ପ୍ରଣାମ ମୋହର ।

 

ଗୀତ

[କହ କହ ବନଲତା – ବୃତ୍ତେ]

 

ଆସ ରେ ଅସୁରେ ହୁଅ ହରରଣେ ଅଗ୍ରସର । ଜୀବ ଆଶା ବିସର୍ଜନ କରି ଅସ୍ତ୍ରଶସ୍ତ୍ର ଧର ।ପଦ। ବୃଷପର୍ବା ଇନ୍ଦ୍ର ତୁଲେ, କରୁ ରଣ ସୁଖଭୋଳେ । ପ୍ରଭାକର ସହ ବପ୍ରତିତ ଯୁଝୁ ବାର ବାର ।୧। ଜମ୍ଭଦୈତ୍ୟ ନିଶାକରେ ଯାଇଣ ଓଗାଳୁ ଖରେ । ଅନଳ ସଙ୍ଗେ ଅନୀଳ ରଙ୍ଗେ ମଲ୍ଲଯୁଦ୍ଧ କର ।୨। କାଳେଶ୍ୱର କାଳୀ ସହ, ଶୀଘ୍ର ରଣେ ସଜହୁଅ । ଦେଖ ଯାଇଁ କାଳକେୟ କାହିଁ ଲୁଚିଛି କୁବେର-।୩। ଗଗନ ବିଦାରି ରଡ଼ି ଛାଡ଼ି ବେଗେ ପଡ଼ ମାଡ଼ି । ଅସ୍ଥି ଚର୍ମ ଦେଇ ଫାଡ଼ି ପଠାଅ ଯମମନ୍ଦିର-।୪। ଏହିପରି ପ୍ରାଣପଣେ,ଲାଗିଯାଅ ବୀରଗଣେ । ବିପ୍ର ବଇଷ୍ଣବ ଭଣେ ଶିବଯୁଦ୍ଧ ମୋ ଭାଗରେ-।୫।

 

ନେପଥ୍ୟେ

(ମାର ମାର ଧ୍ୱନି)

ଶିବ

ରେ ପାମର ଦୁଷ୍ଟ ଦୈତ୍ୟ !

 

 

ଅଗ୍ରସର ହୁଅ ଶିବ ତୁଲେ ।

ଶଙ୍ଖ

ସେ ନିମନ୍ତେ ଡର ନାହିଁ ହର !

 

 

(ରଣବାଦ୍ୟ ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)

 

ଗୀତ

[ଆହା କି ସୁନ୍ଦର ଦେଖ ଲୋ – ବୃତ୍ତେ]

 

ବିଜୟ ସଙ୍ଗୀତ ଗାଅ ଗୋ ସହି । ନାଚ ଜୟଧ୍ୱଜା ନଭେ ଉଡ଼ାଇ ।ପଦ। ବୀର ହୋଇ ରଣେ ଯେହୁ ଜୀବନ ତେଜେ । ବିରାଜଇ ଶୁଭେ ସେ ଯେ ଦେବ-ସମାଜେ । ଯଶ ଇହଧାମରେ । ଶୁଭଇ ନିରତେ ତା’ର ନାମରେ ସେ । ଅବିରତେ ଶଙ୍କା ଦିଏ ଯମରେ ସେ । କବି କବିତା କରି ଛବି ଲେଖନ୍ତି ଲେଖନୀ ଧରି । ବଇଷ୍ଣବ ଭାଷେ ତରିବା ପାଇଁ ।୧।

 

(ପ୍ରସ୍ଥାନ)

•••

 

ତୃତୀୟ ଅଙ୍କ

(ଦୂରେ ଶଙ୍ଖଚୂଡ଼ ପ୍ରବେଶି)

 

ଶଙ୍ଖ

ଓହୋ ! କି ଆଶ୍ଚର୍ଯ୍ୟ; ଦେଖେ ଚାରିଦିଗେ

 

 

ପଳାନ୍ତି ଦନୁଜଗଣେ ଦେଇ ଛତ୍ରଭଙ୍ଗ

 

 

ବିକଟ ଗର୍ଜ୍ଜନ ଧ୍ୱନି ଶୁଣି କର୍ଣ୍ଣ ହେଲାଣି ବଧିର

 

 

ଭେଦି ବହେ ରକ୍ତନଦୀ କଳକଳ ନାଦେ

 

 

ଭାସିଯାନ୍ତି ଦୈତ୍ୟ ମଡ଼ା

 

 

ଭେଳାପରି ମେଳା ମେଳା ହୋଇ;

 

 

ତାହାଙ୍କ ଉପରେ ବସି ଗୃଧ୍ର ଗୃଧିନୀଏ

 

 

ନେତ୍ରମାନ ଚଞ୍ଚୁଘାତେ ଖାଉଛନ୍ତି ଖୋଳି;

 

 

ଉଷ୍ଣ ରକ୍ତ ପିଇ ଶିବାଗଣ

 

 

ଉର୍ଦ୍ଧ୍ୱମୁଖେ ରାବ ଦେଇ ଉଦ୍ଗାରନ୍ତି ଅଗ୍ନି ମୁଖୁ ।

 

 

କେଣେ ଗଲା ଦୂତ !

 

 

କିପାଁ ନ ଫେରିଲା ଘେନି ଶତୃର ସମ୍ବାଦ ।

ଦୂତ

(ବେଗେ ପ୍ରବେଶି) ମଲି ମଲି ମହାରାଜ !

 

 

କି କରିବି ଯିବି କାହିଁ ପାଉନାହିଁ ବାଟ

 

 

ପଥ ନ ଦିଶଇ ଦେବ ଦୈତ୍ୟଙ୍କ ଗହଳେ ।

ଶଙ୍ଖ

ରହ ରହ ଦୂତ, ପଳାଉ କେଣିକି

 

 

କହ କହ ସମର ଘଟଣା ?

ଦୂତ

ଦୈତ୍ୟରାଜ ! ଅଛ କି ଏଠାରେ ?

 

 

ପ୍ରବଳ ପ୍ରତାପେ ଶିବସୁତ ଦୁଇଜଣ

 

 

ଗୋଟା ଛଅମୁଣ୍ଡା ଆଉ ଗୋଟା ହାତୀମୁଣ୍ଡା

 

 

ବହୁ ଦୈତ୍ୟଙ୍କୁ କଲେ ନାଶ;

 

 

ତହୁଁ ଆମ୍ଭ ସେନାପତିଗଣେ

 

 

ଧରି ଶସ୍ତ୍ର ମାଡ଼ିଣ ପଡ଼ନ୍ତେ

 

 

ପଳାଇଲେ ଦେବ ସେନା ହଟି ।

 

 

ଦେଖି ତା କାର୍ତ୍ତିକ କିସ ମନ୍ତ୍ର ଦେଲା କାନେ,

 

 

ଫେରି ପୁଣି ପଶିଲେ ଧସାଇ ରଣମାଝେ

 

 

ହେଲେ ଅସ୍ତ୍ରଶସ୍ତ୍ର ମରାମରି;

 

 

ଆଉ ଯାହା ଦେଖିଛି ଭୋ ଦେବ !

 

 

ମନେ ପଡ଼ି ଜାଡ଼ି ବାଜେ ତୁଣ୍ଡ,

 

 

କେ ବର୍ଣ୍ଣିପାରିବ ସେ କାଳର ରଣନୀତି –

ଗୀତ

[ଆଜି ଘୋଷଣା ଶୁଣି ଆସିଛି – ବୃତ୍ତେ]

ଯାହା ଦେଖିଛି ମୁଁ ଅପସନ୍ଦ କଥାଆଜି । କାହୁଁ ଆସିଲା କାଳୀ ମାଈଟା ବଳ ସାଜି ।ପଦ। ହୋଇଛି ଖାଲି ଲଙ୍ଗଳା । ଗଳେ ଅଛି ମୁଣ୍ଡମାଳା । କଟିରେ ସାଜିଛି ନର କରରାଜି ।୧। କରରେ ଖର୍ପର ଖଣ୍ଡା । ରୂପ ଦିଶେ ପରଚଣ୍ଡା । କହିଲେ ସରିବ ନାହିଁ ତା’ର ତାଜି ।୨। ହଲାଉଛି ଜିଭ ଗୋଟା । ମୁଣ୍ଡରେ ଆଖି ତିନିଟା । ଦାନବମାନଙ୍କୁ ମାରୁଅଛି ଖୋଜି ।୩। ଯେତେ ତା’ର ସଙ୍ଗ ସଖୀ । ସକଳେ ବିକଟମୂଖୀ । ବଇ ବୋଲେ ଚାହିଁ ଦୈତ୍ୟେ ଗଲେ ଭାଜି ।୪।

ଶଙ୍ଖ

(ସ୍ୱଗତ) ଜଣାଗଲା, ଜଣାଗଲା ଚାମଣ୍ଡା ଯୋଗିନୀ ଘେନି

 

 

କାଳୀ ଆଜି ପଶିଛି ସମରେ

ଦୈତ୍ୟ

ବିନାଶିନୀ ନାଶେ କୋଟି କୋଟି ଦୈତ୍ୟ ।

 

 

ଦୂତ ! ଆସ ମୋର ସଙ୍ଗେ,

 

 

ଦେଖା ମୋତେ କେଣେ ସେହି ମୁକୁଳିତ କେଶା

 

 

ତାର ତୁଲେ ରଣତୃଷ୍ଣା ମେଣ୍ଟିବ ମୋହରି ।

 

 

(ବେଗେ ପ୍ରସ୍ଥାନ)

 

(ଚଣ୍ଡୀଗଣ ସହ କାଳୀଙ୍କର ରଣକ୍ଷେତ୍ରେ ନୃତ୍ୟ ଓ ଗୀତ)

[ଗାଅ ଗାଅ ସର୍ବସଖୀ – ବୃତ୍ତେ]

 

ପଣ ପଣ କରି ସଖି, ହାଣ ଲୋ ଏ ଦୈତ୍ୟବଳେ । ପିଅ ରକ୍ତ ହୋଇ ମତ୍ତ ନ ପଡ଼ୁ ବିନ୍ଦୁଏ ତଳେ ।ପଦ। ଚୋବା ଦନ୍ତେ ମୁଣ୍ଡମାନ । ଛିଣ୍ଡାଅ ଲୋ ନାକ କାନ । ରୁଣ୍ଡାଇଣ ଅନ୍ତପିତ୍ତ ମାଳ ଲମ୍ବା ବଳେ ଗଳେ ।୧। ଦାନବଙ୍କ ମେରୁଦଣ୍ଡ । ତହିଁ ଦନ୍ତ ତା’ର ମୁଣ୍ଡ । ତୁମ୍ବା କର ପିଚାଖଣ୍ଡ ବଜା ବୀଣା ନଖି ଛଳେ ।୨। ଶବାସନ ସହିତରେ । ନାଚ ନାଚ ଶବ ପରେ । ରାତି ରାତି ପଡ଼ ମାତି ରହୁ କୀର୍ତ୍ତି ମହୀତଳେ ।୩। ଗାଅ କାଳୀ ଯଶୋରାଶି । ଆଳିଗଣେ ଦିବାନିଶି । ହର-ଅଙ୍କବାସୀ ପଦ ସେବି ବଇଷ୍ଣବ ଭାଳେ ।୪।

 

ଶଙ୍ଖ

(ପ୍ରବେଶି) ଡର ନାହିଁ, ଡର ନାହିଁ ହେ ରାକ୍ଷସଗଣେ !

 

 

ଛାର ନାରୀ, ରଣେ କିପାଁ ଦିଅ ପୃଷ୍ଠଭଙ୍ଗ ?

 

 

ଶିବରମଣୀକି ବେଢ଼ ଜୀବଆଶା ଛାଡ଼ି

 

 

ଦେଉଛି ଅଭୟ;

 

 

କର ନିର୍ଭୀକ ହୃଦୟେ ଅସ୍ତ୍ର ବରଷଣ ।

 

 

କୋଟି କୋଟି ଦାନବବଳକୁ ମୋର ନାଶିଲା ପାପୀଷ୍ଠା ।

 

 

କରିଅଛି ନିଷ୍ଠା; ଆଜି ରଣେ ନେବି ୟା ଜୀବନ ।

 

 

ଲୋ ଚାଣ୍ଡାଳି ! ଚଣ୍ଡମୁଣ୍ଡ ଜୀବନଶୋଷିଣି !

 

 

ସମ୍ଭାଳ ଏ ସୈାଜନ୍ୟ ଅସ୍ତ୍ରକୁ ।

କାଳୀ

ରେ ନୀଚ ଦାନବ !

 

 

କିପାଁ କରୁ ବୃଥା ଗର୍ବ;

 

 

ସମ୍ଭାଳ ଏ ନାରାୟଣ-ଅସ୍ତ୍ର ।

 

 

(ଯୁଦ୍ଧ, ଅସ୍ତ୍ର-ନିକ୍ଷେପ)

ଶଙ୍ଖ

କି କରିବ ଏ ବାଣ ମୋହର

 

 

ଯାହାର ଭରସା ସଦା ଶତପତ୍ରନେତ୍ର ।

 

 

(ଯୁଦ୍ଧ)

କାଳୀ

ଦେଖୁ ଦେଖୁ ନାରାୟଣ-ଅସ୍ତ୍ର ହେଲା ବ୍ୟର୍ଥ;

 

 

ଏହି ବ୍ରହ୍ମଶର ତୋର ଅରି !

ଶଙ୍ଖ

ଲୋ ଲୋ ଉଲ୍ଲଙ୍ଗିନି, ବ୍ରହ୍ମାସ୍ତ୍ରରେ ବ୍ରହ୍ମାସ୍ତ୍ରକୁ ଦେଉଛି ନିବାରି ।

 

 

(ଯୁଦ୍ଧ, ବାଣ-ନିକ୍ଷେପ)

କାଳୀ

ରେ ନାରକୀ ଅମରାରି !

 

 

ଏହି ପାଶୁପତ ଅସ୍ତ୍ରେ ନାଶ ହୁଅ ହେଳେ ।

ଶଙ୍ଖ

କି ଦେଖାଉ ପାଶୁପତ;

 

 

ମାରି ନ ପାରିବୁ ଏ କବଚ ଥିଲେ ଗଳେ ।

ଦୈବବାଣୀ

ନ ବିନ୍ଧ ନ ବିନ୍ଧ ବାଣ ଦେବୀ ଘନଘନ । ପାଶୁପତ ଶରେ ନାଶ ନୋହିବ ଦୁର୍ଜନ । ପାଇଅଛି ବିଧାତାର ବର ନିଶାଚର । ଯାବତ କବଚ ଥିବ ହୃଦରେ ଏହାର । ପୁଣି ୟା ନାରୀ ସତୀତ୍ୱ ନ ହୋଇଲେ ନଷ୍ଟ । କେଭେ ନ ମରିବ ଏହି ଦାନବ ଦର୍ପିଷ୍ଠ ।

କାଳୀ

ଓହୋ ! ଏ ଯେ ଦୈବବାଣୀ !

 

 

ନ ମରିବ ଦୈତ୍ୟ ତା’ର ନାରୀ ସତୀ ହେତୁ,

 

 

ଆବର ରହିଛି କଣ୍ଠେ ମଙ୍ଗଳକବଚ ।

 

 

ଯୋଗ୍ନିଗଣେ !

 

 

ପଶି ରଣେ ରକ୍ଷସେନା ଭକ୍ଷ କୋଟି କୋଟି

 

 

ମୁଁ ମଧ୍ୟ ରଣ କରୁଛି ଶଙ୍ଖଚୂଡ଼ ସହ;

 

 

ଭୟ କର ନାହିଁ କେହି ମନେ ।

 

 

ରେ ଅସୁର ! ଏହି ମୁଷ୍ଟ୍ୟାଘାତେ

 

 

ଅଶ୍ୱ ରଥ ସାରଥି ତୋ କରିବି ସଂହାର ।

 

 

(ଯୁଦ୍ଧ)

ଶଙ୍ଖ

-

ନ ପାରିବୁ; ହାରିବୁ ତୁ ଆଲୋ ଉଲ୍ଲଙ୍ଗିନି !

 

 

ରଥ ସାରଥି ସହିତ ହୟ ନଷ୍ଟ କଲୁ ବୋଲି

 

 

ଡରି କି ରହିବ ଶଙ୍ଖଚୂଡ଼ ?

 

 

ଦେଖ ଦେଖ ଆନ ରଥେ କଲି ଆରୋହଣ ।

ଗୀତ

[ରାମ ପ୍ରସାଦି – ବୃତ୍ତେ]

ପଳା ପଳା ଶବାସନା, ନ ପୂରିବ ତୋ ବାସନା । ଆସିଛୁ ନାଶିବୁ ମୋତେ ଘେନି ଯୋଗ୍ନିସେନା ।ପଦ। ମଦିରାପାନେ ଉନ୍ମତ୍ତ । ହୋଇ ରଣେ କରୁ ନୃତ୍ୟ । ନାହିଁ ହିତାହିତ ଜ୍ଞାନ ଲୋ ଦିଗବସନା ।୧। ଶାସ୍ତ୍ରେ ଲେଖିଛନ୍ତି ବେଧା, ନାରୀ ଅଟନ୍ତି ଅବଧ୍ୟା । ସେ ଯୋଗେ ଜିଇଛୁ ଜାଣ ଲୋଳିତରସନା-।୨। ଲୋ ନରକର ମଣ୍ଡିନି,ଦୁର୍ଦଣ୍ଡ ଦୈତ୍ୟଭଣ୍ଡନି ! ବଳା ମଲ୍ଲଯୁଦ୍ଧେ ମତି ଅମ୍ବରବସନା ।୩। ବ୍ୟେମକେଶା କେଶ ତୋର, କାଟିକରି ଛାରଖାର । ଉଡ଼ାଇବି ମୁଣ୍ଡମାଳ ଛିଣ୍ଡାଇ ରସନା । ଫୋପାଡ଼ି ସିନ୍ଧୁଜଳରେ, ମାତିବି ସଖୀ ମେଳରେ । ବଇ ବୋଲେ ଏ କାଳରେ କରାଳଦଶନା ।୫।

 

କାଳୀ

ରେ ପାଷଣ୍ଡ ଭଣ୍ଡ ଦୈତ୍ୟ !

 

 

ମଲ୍ଲରଣେ ହୁଅ ଅଗ୍ରସର ।

 

 

ଜାଣ ଅଳ୍ପେ ବଳାଙ୍କ

 

 

ଅନେକ ବଳରେ ଯେଣୁ ବଳୀ;

 

 

ତେଣୁ ଲଭିଚନ୍ତି ଅବଳା ଆଖ୍ୟାକୁ ।

 

 

ଦେଖିବି ମୁଁ ଏହିକ୍ଷଣି

 

 

ପରୀକ୍ଷା କରି ଯେ ବାହୁବଳ ।

 

 

ନାରୀଗଣେ ନ କରନ୍ତି ରଣ;

 

 

କିନ୍ତୁ କରିଲେ ସେ ରଣ

 

 

କେ ଅଛଇ ଜଗତେ ଏଡ଼େ ଯୋଦ୍ଧା

 

 

ବଳିଯିବ ନାରୀଙ୍କ ମୁଖରୁ ?

 

 

କି ଅସ୍ତ୍ରଶସ୍ତ୍ର ତୋ, ନାରୀପାଶେ

 

 

ଜାଣି ଦେଇଛି ବିଧାତା ରମଣୀର ଅଙ୍ଗେ ଅସ୍ତ୍ରମାନ

 

 

ପୁରୁଷ ପୌରୁଷ ହେଳେ ଗଞ୍ଜିବାର ପାଇଁ

 

 

ଭୂରୁ ଧନୁ, ନୟନ କଟାରି,

 

 

ବାଙ୍କଛୁରୀ ତେରଛ ଚାହାଣି

 

 

ଦୂରୁ ହାଣିଲେ ପୁରୁଷବକ୍ଷେ

 

 

ହସ୍ତପଦ ହେବ ତା ଅଚଳ ।

 

 

ନଖ ଦନ୍ତ ସୁତୀକ୍ଷ୍‍ଣ ନାରାଚରାଜି ତାଙ୍କ,

 

 

ବୀରନାଦ ସୁକଣ୍ଠର ସ୍ୱନ

 

 

ବେନି ଉରଜ ବଜ୍ରର ବାଟୁଳି;

 

 

ତାହା ପ୍ରହାରିବା ଦୂରେ ଥାଉ

 

 

ଦେଖିଲାମାତ୍ରକେ ଚେତାଶୂନ୍ୟ ହୁଏ ପୁଂସ ।

 

 

ଯେ ଯେତେ ତେଜସ୍ୱୀ ହେଲେ ପଡ଼ିବ ଆୟତ୍ତେ ।

 

 

ବେନିବାହୁ ନାଗପାଶ ଶର

 

 

ବେନି ଜାନୁ ବେନି ଗଦାବର ।

 

 

ଭାବି ଦେଖ ଦେଖି

 

 

ଅସ୍ତ୍ରେ ଅସ୍ତ୍ରେ ଅଙ୍ଗନାର ଅଙ୍ଗଗୋଟି ଗଢିଛି ବିଧାତା ।

 

 

ଶୁଣ ଆଉ କଥାଏକ ମୋର –

 

ଗୀତ

[କୀର୍ତ୍ତନ – ବୃତ୍ତେ]

 

ବଳିଷ୍ଠା ଜାଣିଣ ରମଣୀକି ଭବେ ବିହି ରେ । ନେଇଣ ରଖିଲା ଘରକଣରେ ଲୁଚାଇ ରେ ।ପଦ। ଲୌହ ପଞ୍ଜରିରେ ଲୌହ ଶୃଙ୍ଖଳ ଲଗାଇ ରେ । ଶକ୍ତିଶାଳୀ ଭାବି କେଶରୀ କି ଥାନ୍ତି ଶୋଇ ରେ ।୧। ସେହି ପରକାର ନାରୀଜାତିଟି ଅଟଇ ରେ । ଲଜ୍ଜାଶୃଙ୍ଖଳେ ବନ୍ଧନ ବାସେ ଥାନ୍ତି ରହି ରେ ।୨। ବୀରପ୍ରସବିନୀ ବୋଲି ବୋଲାନ୍ତି ଯେ ମହୀରେ । ସୃଷ୍ଟି ସ୍ଥିତି ଲୟ ଯା’ର ଆୟତ୍ତେ ଅଛଇ ରେ ।୩। ମାତାଭାବେ ଜାତ କରି ପାଳେ କ୍ଷୀର ଦେଇ ରେ । ଭାର୍ଯ୍ୟାଭାବେ ବୀର୍ଯ୍ୟ ଶୋଷି ଶେଷେ ବିନାଶଇ ରେ ।୪। ଏସନ ଅଦ୍ଭୁତ ଶକ୍ତି ଯେହୁ ଛନ୍ତି ବହି ରେ । ଚିହ୍ନ ତାଙ୍କୁ ବଇ ବୋଲେ ଜ୍ଞାନନେତ୍ର ଫେଇରେ ।୫।

 

ଶଙ୍ଖ

ଲୋ ପାମରୀ ଶିବବାମା !

 

 

କେତେ କରୁଛୁ ମୋ ଆଗେ ନାରୀଜାତିର ଗୌରବ ?

କାଳୀ

ବଳ ଥିଲେ ଥରେ ତାହା କର ଅନୁଭବ ।

 

 

(ରଣବାଦ୍ୟ ବାହୁଯୁଦ୍ଧ, କାଳୀ ଶଙ୍ଖଚୂଡ଼କୁ ଶୂନ୍ୟେ ଫିଙ୍ଗିଦେବା)

ଶଙ୍ଖ

(ନେପଥ୍ୟେ) ଓହୋ ! ଏଡ଼େ ଶକ୍ତି ବହେ ଏ ମହିଳା

 

 

ଫିଙ୍ଗିଦେଲା; ପଡ଼ିଲି ମୁଁ ଏତେ ଦୂରେ ଆସିକରି ।

କାଳୀ

ଯୋଗ୍ନିଗଣେ ! ମାର ମାର ଶୀଘ୍ର ଦୈତ୍ୟ-ସୈନ୍ୟଗଣେ ଘେରି ।

 

 

(ରଣବାଦ୍ୟ, ଯୋଗ୍ନିଗଣ ଦୈତ୍ୟଙ୍କୁ ଆକ୍ରମଣ ଓ ଦୈତ୍ୟଙ୍କର ପଳାୟନ)

ଶଙ୍ଖ

(ବେଗେ ପ୍ରବେଶି) ପଳାନାହିଁ ପଳାନାହିଁ ତେଜି ରକ୍ଷେ ରଣ ।

କାଳୀ

ତାହାଙ୍କୁ କି ଡାକୁ; ଏବେ ରଖ ନିଜର ପରାଣ ।

 

 

(ଯୁଦ୍ଧ କରୁ କରୁ ପ୍ରସ୍ଥାନ)

•••

 

[ଦ୍ୱିତୀୟ ଦୃଶ୍ୟ]

(ଶିବ ଓ କାର୍ତ୍ତିକର ପ୍ରବେଶ)

 

ଶିବ

ରେ ବତ୍ସ କାର୍ତ୍ତିକ !

 

 

କହ ଦୈତ୍ୟରଣର ସମ୍ବାଦ;

 

 

ଶୁଣି ତୃପ୍ତହେଉ ହୃଦ ମୋର

 

 

ଜୟ କିବା ପରାଜୟ ହୋଇଛି ଆମ୍ଭରି ?

କାର୍ତ୍ତିକ

ଶୁଣ ତାତ ! ଆଜି ଯେ ଅଦ୍ଭୁତ ରଣ କରିଲେ ଜନନୀ,

 

 

ସ୍ୱର୍ଗେ ତାରକାସୁର ସମରେ ମୁଁ ଦେଖିନାହିଁ ଏହା ।

 

 

ଥାଇଁ ଦ୍ୱାଦଶ ନୟନ

 

 

ଶଙ୍ଖଚୂଡ଼ ସହ ମାତ କଲେକ ସମର ।

 

 

ବହୁ ବାଣ ବିନ୍ଧି ଘନଘନ

 

 

ଛେଦିଲେ ଦାନବ ଗତି ସେ ଶର ସରବ ।

 

 

ଶେଷେ ମଲ୍ଲଯୁଦ୍ଧ ଆରମ୍ଭିଲେ ବେନି ଜଣ

 

 

ସେହିକାଳେ କୁରାଳଚକ୍ର ସମାନ

 

 

ଘୂରାଇ ଦୈତ୍ୟକୁ ଦେବୀ ଫିଙ୍ଗିଦେଲେ ଗଗନମାର୍ଗକୁ ।

 

 

ସେ ରାକ୍ଷସ ଭୂତଳେ ପଡ଼ିଣ ଗଲା ମୋହ;

 

 

ଆନ ଦୈତ୍ୟଗଣେ ଏହି କାଳେ

 

 

ପ୍ରାଣଭୟେ ଦେଲେ ଛତ୍ରଭଙ୍ଗ

 

 

ଚେତା ଲଭି ଶଙ୍ଖଚୂଡ଼ ଗୋଡ଼ାଇ ପଛରେ

 

 

ନ ପାରିଲା ଫେରାଇ ତାହାଙ୍କୁ;

 

 

ନିରାଶ ହୋଇଣ ପୁଣି ଯାଇଛି ତାହାଙ୍କୁ

 

 

ହେଳେ ପ୍ରବୋଧ ଦେବାକୁ ।

 

 

ରହିତ ହେବାରୁ ରଣ ଆସନ୍ତି ଜନନୀ

 

 

ତବ ପାଶେ ଦେବାକୁ ଖବର ।

(କ୍ରୋଧେ କାଳୀ ଶିବପାଶେ ପ୍ରବେଶ)

ଶିବ

କ୍ରୋଧ ଶାନ୍ତ କର ଗୋ କାଳିକେ !

 

 

ହେଲେ ତବ କ୍ରୋଧ ଜାତ

 

 

ଭସ୍ମ ହେବ ଅଖଣ୍ଡ ବ୍ରହ୍ମାଣ୍ଡ ଦଣ୍ଡକରେ ।

 

 

ତ୍ରିନୟନି ! ତ୍ରିନୟନୁ ତବ

 

 

ଦ୍ୱାଦଶ ଭାସ୍କର ସମ ତେଜପୁଞ୍ଜ ଖସେ

 

 

ଯେହ୍ନେ ଉଲ୍‌କା ଖସି ପଡ଼ଇ ଧରାରେ ।

 

 

କୋପ ଶାନ୍ତ କର ପ୍ରିୟେ !

 

 

ଶୁଣିଛି ମୁଁ ରଣର କାରଣ ସବୁ

 

 

ତବ ପୁତ୍ର କାର୍ତ୍ତିକ ମୁଖରୁ ।

 

 

ତୁମ୍ଭେ ଦଣ୍ଡେ ଏଥି କର ଗୋ ବିଶ୍ରାମ

 

 

ମୁହିଁ ପଶିବି ସମରେ ଶୂଳ ଘେନି ।

 

 

ଗୋ ଶୂଳିନି ! ସଙ୍ଗେ ଘେନି ରୁଦ୍ରଗଣ

 

 

ଦଳିବଇଁ ଦାନବର ଦର୍ପ ଅବହେଳେ ।

 

 

ବାହୁଯୁଦ୍ଧ କରି ତବ ସହ

 

 

ବଳହୀନ ହୋଇଛି ଅସୁର ।

କାଳୀ

ଯାଅ, ମାର ଅରି, ଶୀଘ୍ର ମାର ଶଙ୍ଖଚୂଡ଼େ

 

 

ଏହି ବଟ ତରୁତଳେ ଘେନି ନିଜ ସହଚରୀଗଣେ

 

 

ରଣ କ୍ଳାନ୍ତି କରୁଅଛି ଦୂର ।

 

 

(ସମସ୍ତଙ୍କର ପ୍ରସ୍ଥାନ)

ଶଙ୍ଖ

(ବେଗେ ପ୍ରବେଶି)

 

 

ଓହୋ ! କି ଅଦ୍ଭୁତ ବିପ୍ରମୂର୍ତ୍ତି ଦେଖଇ ନୟନେ

 

 

ରାଜେ ଶିରେ ଶ୍ରୀହରି-ମନ୍ଦିର ଚିତାଗୋଟି

 

 

କନ୍ଧଦେଶେ ଯଜ୍ଞ-ଉପବୀତ

 

 

ପୁଣି କରେ ଅଛି କୁଶପାତ୍ରି

 

 

ପରିହିତ ତ୍ରିକଚ୍ଛ ବସନ

 

 

ବାମେ ଶୋଭେ ଦଣ୍ଡକମଣ୍ଡଳୁ

 

 

କେବେ ଦେଖି ନାହିଁ ଏହିପରି ଜରାଜୀର୍ଣ୍ଣ ଦେହ;

 

 

କିନ୍ତୁ ତେଜେ ମଳିନ ଦିଶିବେ ରବି ।

 

 

ଆଚ୍ଛା,ପଚାରିବି ଆଗତ କାରଣ (ବିପ୍ରକୁ ଦେଖି ପାଶେ)

 

 

କହନ୍ତୁ ଗୋସାଇଁ ! କିପାଁ ଆସିଲ ଏ ସ୍ଥଳେ ?

 

 

କିବା କାର୍ଯ୍ୟ ଅଛି ମୋର ପାଶେ

 

 

ପରକାଶି ନାଶନ୍ତୁ ସଂଶୟ ।

ମାୟାବିପ୍ର

ଶୁଣ ମହୀନ୍ଦ୍ର ନଗର ଅଧୀଶ୍ୱର ଦୈତ୍ୟନାଥ

 

 

ଯେ ନିମନ୍ତେ ଆସିଛି ଏଥକୁ ।

 

ଗୀତ

[ଭାଇ ଭୀମ କରିବା କି ବୁଦ୍ଧି – ବୃତ୍ତେ]

 

ଦୈତ୍ୟପତି କୀର୍ତ୍ତି ଶୁଣି ତୋର । ଆସିଅଛି ଭିକ୍ଷା ଆଶେ ନାଶିବ କି ଦୁଃଖଭାର । ପଦ। ମାଗିବାକୁ ଧନ କିଛ ମନମଧ୍ୟେ ପାଞ୍ଚିଅଛି । ସାତଦିନ ନାହିଁ ମୋ ଆହାର ।୧। ଯେବେ ତୋଷ ମାନଦାତା ନରଖିବ ଏ ମୋ କଥା । ମୋର ନ ଘୁଞ୍ଚିବ ଏ ବିପଦଭାର ।୨। ସତ୍ୟ ନ କଲେ ତୁ ଆଗେ ତାହା ନ ମାଗିବି କେଭେ । ନାସ୍ତି କଲେ ଯିବି ଅନ୍ୟଠାରେ ।୩। ଉପବାସେ ତିନିପ୍ରାଣୀ । ବାସେ ଛନ୍ତି ରକ୍ଷମଣି । ସେମାନଙ୍କ ପ୍ରାଣରକ୍ଷା କର ।୪। ରଣେ ବଣେ ଯହିଁ ତହିଁ । ଦ୍ୱିଜ ଅବଧ୍ୟ ଅଟଇ । ବୁଝ ଦ୍ୱିଜ ବଇଷ୍ଣବ ଗିର ।୫।

 

ଶଙ୍ଖ

ସତ୍ୟ କଲି ଦ୍ୱିଜରାଜ ! ମାଗି ଘେନ ଦାନ ଯାହା ଇଚ୍ଛା ।

ମାୟାବୀ

ରାଜା ! ଦେଇ ତବ ଗଳାର କବଚ ପୂର୍ଣ୍ଣକର ମୋର ବାଞ୍ଛା ।

ଶଙ୍ଖ

ଆନ ଧନ ନ ଘେନ କାହିଁକି ?

ମାୟାବୀ

ବହୁମୂଲ୍ୟ ହେବ ତା’ର ତାହା ମୁହିଁ ଜାଣଇ ନାହିଁକି !

ଶଙ୍ଖ

ଜାଣିଲି ନିଶ୍ଚେ ଏହି ଚକ୍ରୀ-ଚୂଡ଼ାମଣି ।

ମାୟାବୀ

କୁଣ୍ଠିତ ହେଲୁ କି ରାଜା ମୋର ବାଣୀ ଶୁଣି ?

ଶଙ୍ଖ

ଦାନେ ଦାନବଈଶ୍ୱର କେଭେ ନୋହିବ କୁଣ୍ଠିତ ।

ମାୟାବୀ

ଦିଅ ଶୀଘ୍ର ପାଞ୍ଚ କିସ କରିସାରି ସତ୍ୟ ?

ଶଙ୍ଖ

ଆଚ୍ଛା, ନିଅ ନିଅ ଦ୍ୱିଜ ଏକ ବର ।

ମାୟାବୀ

ଯାଉଛୁ କଲ୍ୟାଣ କରି ଏହି କୀର୍ତ୍ତି ଯୁଗେ ଯୁଗେ ରହିଥାଉ ବତ୍ସ !

 

 

(ଦ୍ୱିଜର ପ୍ରସ୍ଥାନ)

ଶଙ୍ଖ

ଯାଏଁ, ଦେଖେ କି କରେ ଶଙ୍କର ରଣସ୍ଥଳେ

 

 

ଥାଉଁ ଥାଉଁ ପ୍ରାଣ କେଭେ ନ ହୁଡ଼ିବି ପଣ ।

 

 

(ପ୍ରସ୍ଥାନ)

•••

 

[ତୃତୀୟ ଦୃଶ୍ୟ]

ତୁଳସୀର ଶୟନାଗାର]

 

ତୁଳମ୍ପସ୍ଥ

(ନେପଥ୍ୟେ ଚାହିଁ) ଏହି ତ ମୋ ଜୀବେଶ୍ୱର !

 

 

ଆସିଛନ୍ତି ଶିବିର ସମରେ ଜୟ କରି

 

 

ଜୟଭେରୀ ବଜାଇଣ ବସି ରଥପରେ;

 

 

ପ୍ରସ୍ଫୁଟିତ ନଳିନ ସମାନ ମୁଖ ଦିଶେ

 

 

ଅସ୍ତ୍ରାଘାତ ଚିହ୍ନମାନ ରାଜଇ ଦେହରେ

 

 

ସ୍ମିତହସ ଅଧରେ ଶୋଭଇ;

 

 

ଆସିଲେ ପାଶକୁ ପଚାରିବି ରଣ ସମାଚାର ।

(ନାରାୟଣ ମାୟା-ଶଙ୍ଖଚୂଡ଼ବେଶେ ପ୍ରବେଶ)

 

 

ଭାଷ ପତି, କେହ୍ନେ ଶିବେ ସମରେ ଜିଣିଲ ?

 

 

ଫେରିବ ବୋଲି ବାସକୁ ନ ଥିଲା ମୋ ମନେ,

 

 

କହି ହର ମନରୁ ସଂଶୟ ।

ମାୟାଶଙ୍ଖଚୂଡ଼

ପ୍ରିୟେ ! କି କହିବି ସେ ଅଦ୍ଭୁତ ରଣର ଘଟଣା

 

 

ବର୍ଷାବଧି କରିଲି ସମର ସେହି ସଦାଶିବ ସଙ୍ଗେ;

 

 

ଯେଉଁପରି ଅବଶେଷେ ହାରିଗଲା ହର

 

 

ତାହା ଶୁଣ ଚନ୍ଦ୍ରାନନେ !

 

ଗୀତ

[ଜୟ ରଘୁନାଥ – ବୃତ୍ତେ]

 

ଆରେ ଜୀବେଶ୍ୱରି, ଶିବକୁ ସମରେ ଜିଣିଲି ଯେ କଉଶଳେ । ଶୁଣ ହରିକଟି କରି ଗୋଟି ଗୋଟି ବୁଝାଇ ଦେଉଛି ତୋତେ ବଳେ । ପଳାଇଲା କାଳ । ଅବଶେଷେ ଛାଡ଼ି ରଣଗୋଳ ।୧। ତହୁଁ ଧାତା ଆସି ଆରେ ଚାରୁହାସୀ ଭାଷିଲେ ବିନୟ ଗିର । ଆହେ ରକ୍ଷନାଥ ଦେବଙ୍କୁ ତୁରିତ ଛାଡ଼ିଦିଅ ତାଙ୍କ ଅଧିକାର । ବ୍ରହ୍ମା ବାକ୍ୟ ମାନି । ଦେଇ ତାହା ମୁଁ ଫେରିଲି ରାଜଧାନୀ ।୨। ନିଜ ବଳ ତୁଲେ କଇଳାସେ ଶିବ ଲୁଚିଲା ଜୀବନ ଭୟେ । ଶୁଭିଲା ଶବଦ ଚଉଦ ବ୍ରହ୍ମାଣ୍ତେ ଜୟ ଶଙ୍ଖଚୂଡ଼ ଜୟେ ଜୟେ । ପ୍ରୀତି ଦାନେ ପ୍ରୀତ । କର କର ଦାନ ଏ ମୋ ଚିତ୍ତ ।୩। ବହୁକାଳୁ ଅଙ୍ଗସଙ୍ଗ ଭଙ୍ଗ ତୋର ହେବାରୁ ଅଙ୍ଗନାବର । ଅନଙ୍ଗ ଦହୁଛି ଏ ଦେହ କହୁଛି ସାର ସାକ୍ଷୀ ରତିରସ ସାର । ବସ ପଲଙ୍ଗରେ । ବଇଷ୍ଣବ ବୋଲେ ସଖୀ ନିଃଶଙ୍କରେ ।୪।

 

ତୁଳସୀ

ନାଥ ! ଏତେ କିପାଁ କହ ବିନୟରେ

 

 

ସେ ବିଷୟେ କେବେ ବାଧା ଦେଇଛି କି ଦାସୀ ?

 

 

ଆସ, ରତେ ମାତ୍ର ରସରାଜ

 

 

ଯେ କରିଛି ବିରହବେଦନା ଅନୁଭବ

 

 

ସେହି ଏକା ଜାଣେ ତା’ର କଷ୍ଟ ।

 

 

ବନ୍ଧ୍ୟା କି ଜାଣିବ ସୁତ ପ୍ରସବବେଦନା ?

 

 

ଚାଲ କାନ୍ତ, କେଳିତଳପକୁ ।

ଶଙ୍ଖ

ଆସ ଆସ, ବେଗେ ଦାସ –ହୃଦୟତୋଷିଣି

 

 

(ଉଭୟଙ୍କର ପ୍ରସ୍ଥାନ)

•••

 

[ଚତୁର୍ଥ ଦୃଶ୍ୟ – ରଣସ୍ଥଳ]

(ରଣବାଦ୍ୟ, ଯୁଦ୍ଧ କରି ଶଙ୍ଖଚୂଡ଼ ଓ ଶିବର ପ୍ରବେଶ)

 

ଶଙ୍ଖ

ରେ ବର୍ବରବର ହର !

 

 

ଭାବୁଛୁ କି ରଣୁ ଶଙ୍ଖଚୂଡ଼ ପଳାଇବ ହଟି ?

 

 

ହୋଇନାହିଁ ହେବନାହିଁ ତାହା ଏ ଜୀବନେ

 

 

ଜାଣିଛି ମୁଁ ଭଲକରି

 

 

ବିଷ୍ଣୁ ତୁଲେ ଦେବଗଣ କରି କଉଶଳ

 

 

ମୋତେ ମାରିବାକୁ ନେଇଛନ୍ତି ତୋହର ଆଶ୍ରୟ;

 

 

ଜାଣିଥାଅ ସେଥିପାଇଁ ଭୀତ ନୁହେଁ ମୁହିଁ

 

 

ପ୍ରାଣ ଆଶା ତେଜି ରଣେ ମାତରେ ଶଙ୍କର ।

 

 

(ଯୁଦ୍ଧ)

ଦୈବବାଣୀ

ମହାକାଳ ! ବିଳମ୍ୱ ନ କର କାଳ ଆଉ; ମାର ବିଷ୍ଣୁଦତ୍ତ ଶୂଳେ ଦୈତ୍ୟ ପ୍ରାଣ ଯାଉ । ସେହି ଶୂଳେ ଶଙ୍ଖଚୂଡ଼ ଅସ୍ଥି ଗୁନ୍ଥି କରେ; ଫିଙ୍ଗ ସାଗରଗର୍ଭକୁ ଚଣ୍ତ ଦଣ୍ତକରେ । ଶଙ୍ଖଚୂଡ଼ ଅସ୍ଥି ଶଙ୍ଖରୂପେ ଜାତ ହେଉ । ସେହି ଶଙ୍ଖ, ନାରାୟଣ କରେ ଶୋଭାପାଉ । ସେ ସଙ୍ଗେ ତୁଳସୀ ଜଳ ଭରି ବିପ୍ରଜନ, ସ୍ନାନ କରାନ୍ତେ ସନ୍ତୋଷ ହେବେ ଭଗବାନ ।

ଶିବ

ରେ ରେ ଦାନବ କଳଙ୍କ ଦେବ-ଅରି !

 

 

ଦେଖ ଦେଖ ନୟନେ ତୋ ଯମ

 

 

ଏହି ଶୂଳେ ଇହଧାମୁ ନେବୁ ରେ ବିଦାୟ;

 

 

ଏବେ କର ନିଜ ଇଷ୍ଠଚିନ୍ତା ।

 

ଗୀତ

[ରାକ୍ଷସୀ ବୁଧି ଧରି – ବୃତ୍ତେ]

 

ତୋର ରସାରୁ ଆଶା ଭରସା ସରିଲା ରେ । ପଥେ ସଞ୍ଜୀବନୀ ନାଥ ଅନୁସରିଲା ରେ । ଯିବ ଏ ଶୂଳେ ଜୀବନ ଆରେ ଆରେ ଯାତୁଧାନ । ତୋର ପୂରୁବ ସୁଖ ସରବ ପୂରିଲା ରେ ।୧। ଏ ଶୂଳ ମହିମା ତୁହି । କି ଜାଣିବୁ ଦୈତ୍ୟ ହୋଇ । ଏହା ମଧ୍ୟଦେଶେ ବ୍ରହ୍ମା ବାସ କରିଲା ରେ ।୨। ମୁହିଁ ସ୍ୱୟଂ ଭୂତନାଥ । ଅଗ୍ରଭାଗେ ଅବସ୍ଥିତ । ପ୍ରଳୟାନଳ ଯା ଦେହୁ ଝରିଲା ରେ ।୩। ଏହାକୁ ବହନ୍ତେ କର । ଶୂଳପାଣି ନାମ ମୋର । ବଇଷ୍ଣବର କୁଦଶା ଫେରିଲା ରେ ।୪।

 

ଶତ୍ରୁ

ନିପାତକ ଅସ୍ତ୍ର ଏହିରେ ଅସୁର

 

 

ଅଣବାହୁଡ଼ାଟି ଜାଣ ଏହୁ ।

 

 

ଅତି ତେଜିୟାନ ଶୂଳ ଶମନସମାନ

 

 

ଦୀର୍ଘ ଚାରିଶତ ହସ୍ତ ପ୍ରସ୍ଥେ ହସ୍ତ ଶତ

 

 

ମରି ଏହା ମୁନେ ଇହଧାମୁ ଯାଅ ତରି ।

 

 

ରକ୍ଷାନାହିଁ ରକ୍ଷାନାହିଁ ତିଳେ ତୋର ଆଉ ।

ଶଙ୍ଖ

ଓହୋ ! ଏ କି ଭୟଙ୍କର ମୂର୍ତ୍ତି ଧରିଅଛି ହର !

 

 

ଏ ଯେ ଶୂଳପାଣି ଶୂଳ ଧରିଅଛି କରେ

 

 

ସହସ୍ର ଆଦିତ୍ୟ ତେଜ ଗଞ୍ଜେ ।

 

 

ଏବେ କରୁ ଫିଙ୍ଗି ଶରାସନ

 

 

ଧ୍ୟାନେ ବସି ଜୀବନ ତେଜିବି

 

 

ଏହି ତୀକ୍ଷ୍‌ଣ ଶୂଳର ପ୍ରହାରେ ।

 

 

ମୋର ଗୋଲୋକ ବୈକୁଣ୍ଠପଥ ହେଲା ପରିଷ୍କାର ।

 

 

ହା ! ତୁଳସା,

 

 

ଦେଖି ନ ପାରିଲି ତୋତେ ତିଳେ ମାତ୍ର ଆଉ ;

 

 

ଭେଟ ହେବ ନିତ୍ୟସ୍ଥଳେ

 

 

ଆଉ ବୃଥା ଆଶା ପୋଷିବି କାହିଁକି । (ଧ୍ୟାନେ ମଗ୍ନ)

ଶିବ

ଚଳ ପରଲୋକ ଦୁଷ୍ଟ ଦୈତ୍ୟ !

 

 

ପୂର୍ଣ୍ଣ ହେଉ ତୋ ମନ ବାସନା (ରଣବାଦ୍ୟ, ଶୂଳ ପ୍ରହାର)

(ଶଙ୍ଖଚୂଡ଼ ଶିରଚ୍ଛେଦନ, ଜୟନାଦ, ପୁଷ୍ପବୃଷ୍ଟି)

•••

 

[ପଞ୍ଚମ ଦୃଶ୍ୟ – ଅନ୍ତଃପୁର]

(ତୁଳସୀ ଓ ମାୟା-ଶଙ୍ଖଚୂଡ଼ର ପ୍ରବେଶ)

 

ତୁଳସୀ

କିଏ ରେ ତୁ କପଟୀ ନାରକୀ ରତିଚୋର ?

 

 

କହ କିସ ନାମ, ବାସ ଅଟେ କେଉଁଠାର ?

 

 

ଆଚରିଣ ଦସ୍ୟୁବୃତ୍ତି

 

 

ମୋର ସତୀତ୍ୱ ଧନକୁ କଲୁ ଲୁଟି

 

 

ପାରିଛି ମୁଁ ବାରି ।

 

 

ଆରେ ଦୁଷ୍ଟ, ଯାଇଛି ଯାଇଛି ଯାହା ତାହା ନ ଫେରିବ କେଭେଁ ।

 

 

ରେ ରେ ମାୟା-କାୟାଧାରି !

 

 

କହୁଛି ମୁଁ ତୋତେ,

 

 

ଦେବି ଅଭିଶାପ ମୁହିଁ ତୋତେ ଏହିକ୍ଷଣି

 

 

ଶୀଘ୍ର ନିଜଦେହ ପରକାଶି ଦିଅ ପରିଚୟ ।

ବିଷ୍ଣୁ

ଦେବୀ ! ମୁହିଁ କମଳାରମଣ ନାରାୟଣ,

 

 

ଥରେ ମାତ୍ର ଚିହ୍ନ ଭଲକରି ।

 

 

ମୋର ଚତୁର୍ଭୁଜ ମୂର୍ତ୍ତି କର ଦରଶନ,

 

 

ପରେ ଜଣାଇବି ମୁହିଁ କାରଣ ସରବ

 

 

ବୃଥାରେ ନ କର କୋପ ମୋଠାରେ କୋପନା ।

ତୁଳସୀ

ହେ ନାରାୟଣ !

 

 

ଏ କେବଣ ବଡ଼ପଣ ଜଗତେ ତୁମ୍ଭରି ?

 

 

ପଦ୍ମମୁଖ ! କହୁଛି ଯା କର୍ଣ୍ଣଡେରି ଶୁଣ ।

 

ଗୀତ

[କାହିଁପାଇଁ ଭଉଣୀ – ବୃତ୍ତେ]

 

ବିନା ଅପରାଧେ କିପାଁ ଭଣ୍ତିଲ ସତୀକି ଜଗତପତି ହେ । ଶିବକରେ ଜୀବଧବଙ୍କୁ ମରାଇ । କିସ ଯଶ ନେବ ଭାଷ ଝଟତି ହେ ।୧। ଆହେ ନାରାୟଣ ଶୁଣିଛି ଶ୍ରବଣ ତୁମ୍ଭେ ଦୟାମୟ ଅଗତିଗତି । ପ୍ରତ୍ୟକ୍ଷେ ଦେଖିଲି ବିପରୀତ ତା’ର ପାଷାଣେ ନିର୍ମାଣ ତୁମ୍ଭରି ଛାତି ହେ ।୨। ସେ କାରଣୁ ଏବେ ଅରୁଣଚରଣ ଏହି ଅଭିଶାପ ଦେଉଛି ସତୀ । ପାଷାଣ ହୋଇଣ ରହ କାଳେ କାଳେ ଏ ଅପଦୂଷଣ ଘୋଷୁ ଧରିତ୍ରୀ ହେ । ଆଉ କି ଅଧିକ ଜଣାଇବ ଦୁଃଖୀ ଦୁଃଖ ପଦ୍ମମୁଖ ଏହୁ ଭାରତୀ । ନୋହିବି ବିଧବା କହେ ବଇଷ୍ଣବ ଯାଉ ଏ ଜୀବନ ନ ଥାଉ ଭୀତି ହେ ।୩।

 

ବିଷ୍ଣୁ

କିପାଁ ଶୋକ କର ବରାନନେ ?

 

 

ମନେକର ପୂର୍ବକଥାମାନ ।

 

 

ମୋତେ ତପେ କରିଥିଲ ବଶ,

 

 

ତୁମ୍ଭଲାଭେ ଶଙ୍ଖଚୂଡ଼ କରୁଥିଲା ତପ;

 

 

ଏବେ ସେ ତପସ୍ୟାଫଳ ଫଳିଛି ଅଚିରେ

 

 

ରହିବ ଗୋଲୋକ ବଇକୁଣ୍ଠେ

 

 

ହୋଇ ମୋର ମନୋହାରୀ କମଳାଙ୍କ ତୁଲେ ।

 

 

ଗୁଣବତି ! ଆବର କଥାଏ ଶୁଣ କହଇ ତୁମ୍ଭଙ୍କୁ ।

 

 

ମନେକର ପୂର୍ବକଥାମାନ ।

 

ଗୀତ (ଚୋଖି)

 

ଗଣ୍ତୁକୀ ନାମେଣ ନଦୀ ହେବ ଭାରତେ ପ୍ରସିଦ୍ଧି, ତୁମ୍ଭରି ଶିରୀର ଗୋଟି ଶରୀଷଦେହା । ସେ ଜଳେ କରନ୍ତେ ସ୍ନାନ ମୁକ୍ତ ହେବେ ପାପୀଜନ, ମାନିନୀରତନ ମନେ ରଖ ରେ ଏହା । ତବ କେଶ ତୁଳସୀ ହେବ । ତା ବିନୁ ମୋ ପୂଜାବିଧି କେଭେ ନୋହିବ ।୧। ସରବ ସୁମନେ ସାର ହେବ ଗୋ ତବ ପତର, ସେହି ଯହିଁ ଥିବ ତୀର୍ଥ ହୋଇବ ତହିଁ । ତୁଳସୀ କାଷ୍ଠର ମାଳା ଯେ ଚନ ମଣ୍ତିବ ଗଳା, ଯମଭୟ ଜନ୍ମେ ଜନ୍ମେ ତାହାର ନାହିଁ । ତୁଳସୀକୁ ପରଶି କରେ । ଯେ ମିଥ୍ୟା ଭାଷିବ ସେ ପଡ଼ିବ ନର୍କରେ ।୨। ତୁଳସୀମୂଳ ମୃତ୍ତିକା ଯେ ଜନ ଭୁଞ୍ଜଇ ଏକା, ଲେଖା ନାହିଁ ଯମବାସେ ସେ ଜନ-ପାପ । ମରଣକାଳେ ଯେ ନର ତା ନୀର କରେ ଆହାର, ପୂର୍ଣ୍ଣଫଳ ଜାଣ ତା’ର ଅଟେ ଅମାପ । ତ୍ରିରାତ୍ରରେ ତୁଳସୀଦଳ । ଅଶୁଦ୍ଧ ନୁହଇ ପୁଣ ଗୁଣ ଅତୁଳ ।୩। ଅମାବାସ୍ୟା ପୂର୍ଣ୍ଣମୀରେ ସଂକ୍ରମଣ ଦ୍ୱାଦାଶୀରେ, ତୈଳ ଲଗାଇ ଅସ୍ନାନେ ଯେହୁ ତୋ ବୃକ୍ଷ । ପରଶି ତୋଳିବ ପତ୍ର ନ ବୁଝିଣ ଦୋଷ ମାତ୍ର, ମୋର ଶିର ଛେଦନ କରିବ ପ୍ରତ୍ୟକ୍ଷ । ମଧ୍ୟାହ୍ନେ ବା ରଜନୀ କାଳେ । ଦେବଦ୍ୱେଷୀ ହୁଏ ଯେହୁ ତୁଳସୀ ତୋଳେ ।୪। ଭୂଗତ ତୁଳସୀ ପତ୍ର ଯେ ଦିଏ ବିଷ୍ଣୁଙ୍କୁ ମାତ୍ର, ଶତ ଅଶ୍ୱମେଧ ଫଳ ସେ ଜନ ପାଏ । ଆନ ଆନ ପୁଣ୍ୟକର୍ମେ ଯେ ତୁଳସୀଦଳ କ୍ରମେ, ହରିଙ୍କର ଶିର ପରେ ତୋଳିଣ ଥୁଏ । ସେହି ଏକା ଶ୍ରେଷ୍ଠ ସଂସାରେ । ବଇ ବୋଲେ ନ ପଡ଼ଇ ଦୁଃଖ ଦଶାରେ ।୫।

 

 

 

ଶୁଣ ଶୁଣ ଧର୍ମଧ୍ୱଜଜେମା !

 

 

ନଦୀରୂପେ ଜଗତରେ ତୁମ୍ଭେ ବହୁଥିବ;

 

 

ମୁହିଁ ତବ ଅଭିଶାପେ ଗଣ୍ତୁକୀ ପାଷାଣ

 

 

ହୋଇ ବଜ୍ରକୀଟ ନିଜ ଅଙ୍ଗ ନିଜେ କାଟି

 

 

ତବ ନୀରେ ରହିବଇଁ ବୁଡ଼ି ।

 

 

ଶୁଣ ରାଜବାମା ! ସେହି ହେବ ଶାଳଗ୍ରାମଶିଳା,

 

 

ସଂସାରେ ପାଇବେ ମୋର ନାମେ ସେହି ପୂଜା ।

 

 

ନାନା ଚିହ୍ନ ଘେନି ନାନା ନାମ ଜଣାଇବେ ।

 

 

ଶାଳଗ୍ରାମ ତୁଳସୀର ବିଚ୍ଛେଦ ଯେ କରିବ ଜଗତେ,

 

 

ନିଶ୍ଚେ ସେହୁ ହେବ ବଂଶହୀନ ।

 

 

ତବ ପତି ଅସ୍ଥି ଶଙ୍ଖେ ଯେହୁ ନୀର ଭରି

 

 

ତହିଁ ରଖି ତୁଳସୀର ଦଳ

 

 

ଅଭିଷେକ ମୋର ଶିରେ ସର୍ବଦା କରିବ;

 

 

ମୁଁ ତାହାର ଆଜ୍ଞାକାରୀ ହୋଇ

 

 

ଦାସଭାବେ ରହିଥିବି ଗୃହରେ ତାହାରି ;

 

 

ଏ ମୋହର ତିନିବାର ସତ୍ୟ ।

ତୁଳ

କିପାଁ ହରି, ଦେଲ ଏ ଦାସୀକି ଏଡ଼େ ଉଚ୍ଚ ଅଧିକାର ?

 

 

ଇଚ୍ଛାମୟ, ଯାହା ଇଚ୍ଛା ତବ ।

 

 

ଏହିକ୍ଷଣି, ନିଜର ଇଚ୍ଛାରେ ଦେହ ତେଜି

 

 

ଚଳିବି ମୁଁ ନିଜ ଧାମେ ଗୋଲୋକମଣ୍ତଳେ

 

 

ତହିଁ ଭେଟ ହେବ ତବ ତୁଲେ ।

 

 

ଆସ ଆସ ହରି, ଦିଅ ଦାସୀକି ବିଦାୟ ।

ବିଷ୍ଣୁ

ଚାଲ ଦେବୀ, ଫଳୁ ତବ ବାଞ୍ଛାଫଳ କାମନାବୃକ୍ଷରେ ।

 

 

(ଉଭୟର ପ୍ରସ୍ଥାନ)

(ଦୁଇଜଣ ଗ୍ରାମବାସୀ ସ୍ତ୍ରୀ-ପୁରୁଷଙ୍କ ପ୍ରବେଶ)

 

ଗୀତ

[କାହିଁକି କାନ୍ଦୁଛୁ ମୋର କହ ରସକଢ଼ି – ବୃତ୍ତେ]

 

ପୁ

ଦୁଃଖପାଶୋରା ମୋ ଦିନସରା କାନ୍ଦୁ କାହିଁକି ?

ସ୍ତ୍ରୀ

ଭୁଲିଗଲୁ କି ଚୁଲିଆ ମନେ ନାହିଁ କି ।

ପୁ

ହଁ ମନେ ମୋର ଗଲା ପଡ଼ି, ଯାଇ ତ ଥିଲା ବିଗିଡ଼ି ।

ସ୍ତ୍ରୀ

କାହିଁ କଥାକୁ କୋଉଠି ଥୋଉ ନେଇକି ।

ପୁ

କିସ ହେଲା ବଣା ଟଣା, ଜମା ମୋତେ ନାହିଁ ଜଣା ।

ସ୍ତ୍ରୀ

ଉପୁରି ଉଠିଲା ଆଉ କାହା ପାଇଁ କି ।୨।

ପୁ

ଏମେତେ କଲି କଅଣ, କହ ଦେଉଛି ମୋ ରାଣ

ସ୍ତ୍ରୀ

ରଜା ପରା ମରିଗଲେ ରଣେ ଯାଇଁ କି ।୩।

ପୁ

ଯେବେ ଏକା ଥିବ ରାଣୀ, କେତେ ହେବ ଟଣାଟଣି;

ସ୍ତ୍ରୀ

ସେ କି ଆଉ ଅଛନ୍ତି ଜୀବନେ ଜିଇଁ କି ।୪।

ପୁ

ଛିଡ଼ି ତ ଗଲା ଅଡ଼ୁଆ, ଚଷିବା ଭାଙ୍ଗି ପଡ଼ିଆ ।

ସ୍ତ୍ରୀ

ବାଡ଼ିଆ ଅଛି କରମେ ଭାଷେ ବଇ କି ।୫।

ପୁ

ଆଲୋ ବୁଲାମା’ ! ଏଣିକି ମୁଁ ଏଠି ରଜା, ତୁ ହବୁ ରାଣୀ ।

ସ୍ତ୍ରୀ

ଆହା ତୋ ଚେହେରା ଦେଖି ପରା ମୋ ପାଟିରୁ ବହୁଛି ପାଣି ।

ପୁ

ମତେ ତ ମୁଁ ଲାଗୁଚି, ଆଚ୍ଛା ଆଉ ଖରାପ କ’ଣ କହ ?

ସ୍ତ୍ରୀ

ଯେ ଗ୍ରହଣଖଣ୍ତିଆ ବସନ୍ତମୁହାଁ, ସେ ଆରିଶିରେ କ’ଣ ଦେଖୁନଆନ୍ତି କି ମୁହଁ ।

ପୁ

ଆଚ୍ଛା, ଆମେ ରଜାରାଣୀ ହେଲେ ଖରାପ କ’ଣ ହବ ।

ସ୍ତ୍ରୀ

ତୋ କଥା ମାନି କିଏ ଖଜଣା ଗଣ୍ତାକ ଦବ ?

ପୁ

ମୋ ତଳେ ଗୋଟା ରଖିଦେବି ମେନେଜର ।

ସ୍ତ୍ରୀ

ତୁ ଛୋଟ ଚାକରଟା ବଡ଼ ହବୁ; ତାକୁ କ’ଣ ରଜାହବାକୁ ଏମନ୍ତ ମାଡ଼ିବ ଡର ।

ପୁ

ଯା, ସବୁବେଳେ ତ ଆଗ ଘେର ମୋ ମନ ତୁ ଖରାପ କରୁଛୁ ।

ସ୍ତ୍ରୀ

ତୁ କାହିଁକି ଭଲା ମତେ ସାଙ୍ଗ କରି ମରୁଛୁ ।

ପୁ

ଆଲୋ ହେ ! ସତେ କାହିଁ ଗଲେ ରାଜା ରାଣୀ ?

ସ୍ତ୍ରୀ

ରଜା ତ ନଢ଼େଇରେ ମଲେ; ରାଣୀକଥା ତ ପାରୁନାହିଁ ଜମା ଜାଣି ।

ପୁ

ଚାଆଲେ ତେବେ ତାଙ୍କୁ ଦିହେଁ ସାଙ୍ଗସୁଙ୍ଗା ହୋଇ ଖୋଜିବା ?

ସ୍ତ୍ରୀ

ଆଗେ ଚାଲିଲୁ, ସେ ବୁଢ଼ା ଛାମୁକରଣଠଉଁ ବୁଝିବା ।

 

 

(ଉଭୟର ପ୍ରସ୍ଥାନ)

Image